Unknown

 

 

 

 

 

 

 

 

 

 

ସମର ତରଙ୍ଗ

ବ୍ରଜନାଥ ବଡ଼ଜେନା

 

ପ୍ରଥମ ଛାନ୍ଦ

 

ରାଗ-ରସକୋଇଲା

ଶ୍ରୀରାଧାବର ଚରଣକୁ ଚିନ୍ତି

କହୁଛି ଯାହା ଶୁଣ ହେ ସୁମତି

ଦକ୍ଷିଣ ସିନ୍ଧୁ ତଟେ ନିତ୍ୟ ଧାମ

କ୍ଷେତ୍ରବର ପୁରୁଷୋତ୍ତମ ନାମ ସେ

ଯହିଁ ବିଜେ ଜଗନ୍ନାଥ ଯେ

ବଳଭଦ୍ର ଭଦ୍ରା ସୁଦରଶନ ଏ

ଚାରିମୂରତି ବ୍ୟକତ ଯେ ।୧।

ପତିତମାନଙ୍କୁ କରି ମୁକତ

ଉଡ଼ାନ୍ତି ପତିତପାବନ ନେତ

ପରମାନନ୍ଦ ସୁନ୍ଦର ସ୍ୱରୂପ

ଦରଶନେ ଦୂର କରନ୍ତି ତାପ ସେ

କୃପାସିନ୍ଧୁ ଦୀନବନ୍ଧୁ ଯେ

ନିଖିଳ ମାନସ କୁମୁଦ ଉଲ୍ଲାସ

କରିବାକୁ ପୂର୍ଣ୍ଣ ଇନ୍ଦୁ ଯେ ।୨।

ଏହି କ୍ଷେତ୍ରର ଉତ୍ତର ଦିଗରେ

ଢେଙ୍କାନାଳ ନାମେ ଅଛି ନଗରେ

ଧାତା କଲା ତା ଯତନେ ନର୍ମାଣ

ରସା ରସିକିନୀ ଶିର ଭୂଷଣ ସେ

କି କହିବା ତାର ଟେକ ଯେ

 

ସୁଖ ବିନା ଦୁଃଖ କିରୂପେ ହୁଅଇ

ନ ଜାଣନ୍ତି ତହିଁ ଲୋକ ଯେ ।୩।

ସିଂହ ବିଦ୍ୟାଧର ବୀର ମଣ୍ଡଳ

ଆଦ୍ୟରୁ ହେଲେ ସେ ରାଜ୍ୟେ ରାଜନ

ତାଙ୍କଠାରୁ ପ୍ରତି ଦାତା ମହାତେଜା ସେ

ବେଳକୁ ବେଳ ଅଧିକ ଯେ

ଖଣ୍ଡାବଳେ କେତେ       ଖଣ୍ଡାଇତଙ୍କର

ଛିଣ୍ଡାଇ ନେଲେ ମୁଲକ ଯେ ।୪।

ଏଥିରେ ନୃସିଂହ ଭ୍ରମରବର-

ରାଏ ପୁଣ ଯଶ କଲେ ଅପାର

ତାହାଙ୍କ ନନ୍ଦନ କୁଞ୍ଜବିହାରୀ

ତାଙ୍କ ଗୁଣ ପୁଣି ବର୍ଣ୍ଣି ନ ପାରି ସେ

ଶୂର ସୁନ୍ଦର ରସିକ ଯେ

ଦାତା ଗୁଣବନ୍ତ  କବି ଧର୍ମରତ

ପ୍ରତାପବନ୍ତ ବିବେକ ଯେ ।୫।

ତାଙ୍କ ସିନ୍ଧୁକୁଳ ଚନ୍ଦ୍ରମା ପ୍ରାଏ

ରାଜସିଂହ ଭ୍ରମରଦର ରାଏ

ବ୍ରଜବିହାରୀ କାମ ସମ ରୂପ

ଆଶ୍ରିତ ଲୋକର କଳ୍ପ ପାଦପ ସେ

ସକଳ ଗୁଣେ ନିପୁଣ ଯେ

ଏଥି ଊତ୍ତାରୁ ଯେ ନୃପ ହୋଇଛନ୍ତି

ତାଙ୍କ ଯଶ ଗୁଣ ଶୁଣ ହେ ।୬।

ସୋମ ବଂଶରେ ଯଥା ପରୀକ୍ଷିତ

ପାଣ୍ଡବେ ଯୁଧିଷ୍ଠିର ଯେଉଁ ମତ

ସିଂହ ବିଦ୍ୟାଧର କୁଳେ ତେମନ୍ତ

ଉଦୟେ ମହାଦୀପ୍ତି ଶୂରବନ୍ତ ସେ

ତ୍ରିଲୋଚନ ନାମେ ଖ୍ୟାତ ଯେ

ରାଜା ମହୀନ୍ଦ୍ର ବା…. ହାଦୁର ପଦ ଯା

ସଂସାର ମଧ୍ୟେ ବିଖ୍ୟାତ ଯେ ।୭।

ଢେଙ୍କାନାଳ ମହୀ ଗଗନ ଶଶୀ

ଲକ୍ଷଣବନ୍ତ ଦୁଃଖ-ତମ-ନାଶୀ

କଳାକର ତାରା ଆନନ୍ଦ-କର

ସୁଖରେ ନିରତେ ଯାର ବିହାର ସେ

ଊଜ୍ଜ୍ଵଳ କଳା ପ୍ରକାଶେ ଯେ

 

୪। ସିଂହ ବିଦ୍ୟାଧର-ଢେଙ୍କାନାଳର ବର୍ତ୍ତମାନ ରାଜବଂଶର ଆଦିସୁରୁଷ ।

୬। ସିନ୍ଧୁ କୁଳ—ତନୁସିନ୍ଧ(ପାଠାନ୍ତର)

 

ପଦ୍ମିନୀ ମୁଦ୍ରିତ  ହୋଏ ଯା ଲୋକନେ

ସୁରଗଣଙ୍କୁ ସେ ତୋଷେ ଯେ ।୮।

ଯାହାର କୀରତି କାନ୍ତି ପ୍ରବଳେ

ପରିପୂର୍ଣ୍ଣ ହୋଇ ମହୀମଣ୍ଡଳେ

ସ୍ଥାନ ନ ପାଇ ବାହାରି ପଡ଼ିଲା

ଦଶ ଦିଗରେ ପୁଣି ପୂର୍ଣ୍ଣ ହେଲା ସେ

ତହିଁ ସ୍ଥାନ ହେଲା ନାହିଁ ଯେ

ତାରାକୁଳ ଛଳେ ଠାବେ ଠାବେ ଏବେ

ଆକାଶେ ଘୋଟୁଛି ଯାଇଁ ଯେ।୯।

ପ୍ରଚଣ୍ଡ ବୀର ପ୍ରତାପ ତପନ

ଶୁଖାଇଲା ଅରି ଆନନ୍ଦ ବନ

ନୃପତି ବଳ ଅନ୍ଧକାର ହରି

ତେଜେ ସକଳ ଭୁବନରେ ପୁରି ସେ

ଦୁଷ୍ଟ କୁହୁଡ଼ି ନାଶିଲା ଯେ

ଅନୁଗତ ଲୋକ ସଜ୍ଜନ କମଳ-

କୁଳ ଶୋଭା ବିକାଶିଲା ଯେ ।୧୦।

ସେ ପ୍ରତାପ ବର୍ଣ୍ଣି ହୋଇବ ନାହିଁ

ସହସ୍ରେ କବି ନ ପାରିବେ କହି

ସିନ୍ଧୁ ବାଲି କେ କରିବ ପ୍ରମାଣ

ଆକାଶ କଳନା ହୋଏ କି ପୁଣ ଯେ

ତଥାପି କହିବା କିଛି ଯେ

ଏ ନୃପ ସିଂହ ଚ- ରିତ କହିବାକୁ

ଶରଧା ତ ବଳୁଅଛି ଯେ ।୧୧।

ବରଗୀ ଓଡ଼ିଶା କଲେ ଅମଳ

ସରବରା ଦେଉଥିଲେ ଭୂପାଳ

ବିହି ଯୋଗେ ହେଲା ଅନ ବନାଉ

ରାଜାରାମେ ଘୋଷା ବହିଲେ ତହୁଁ ସେ

ଫଉଜ କଷିଲେ କୋପେ ଯେ

ବ୍ରଜନାଥ ଗ୍ରନ୍ଥାବଳୀ

ମଞ୍ଜୁ ଚଉଧୁରୀ  ସଙ୍ଗତେ ବିଚାରି

ବାହାର ହୋଇଲେ ଆପେ ଯେ ।୧୨।

ମୋଟରି ନିକଟେ ପଡ଼ିଲେ ବଳ

ଓକିଲ ପେଷିଲେ ଅବନୀପାଳ

କାହି ପାଇଁ ପୃଥ୍ଵୀ ନାଶିବ ମୋର

ପଇସା ନେଇ ଫେରାଅ ନସ୍କର ସେ

ନ ଘେନି ତା ରାଜାରାମେ ଯେ

ଦଗା ଦେବା ମନେ ଗୁପତେ ଅରଣ୍ୟେ

ବାହାରିଲେ ଅତି ତମେ ଯେ ।୧୩।

ନୃପତି ଜାଣି ସେ କୁଟ ବିଚାର

ଆଗ୍ୟାଁ ଦେଲେ ଦେଖି ଯାଅ ଆମ୍ଭର

ରାଜାରାମ ପଣ୍ଡିତଙ୍କୁ ବାଟରେ

ସଙ୍ଖୋଳି ଆସ ମର୍ଯ୍ୟାଦା ବେଭାରେ ସେ

ହାକିମ ଅଟନ୍ତି ସେହୁ ଯେ

ତୀର ଗୁଳି ଦେଇ ଭେଟିବ ତାହାଙ୍କୁ

ପାଶୋରିବ ନାହିଁ ଆଉ ଯେ ।୧୪।

ଆଗ୍ୟାଁ ପାଇ କିଛୁ ଫଉଜ ଗଲେ

ରାଜାରାମଙ୍କୁ ଦରଶନ କଲେ

 

୧୨। ସରବରା (ପାର୍ଶି) -କର, ପେସକସ tribute.ଅନ-ବନାଊ - (ହିନ୍ଦୀ—ଅନ୍-ବନ) ଅବନ, ଅପଉ ।ମଞ୍ଜୁ ଚୌଧୁରୀ - କଟକର ତତ୍କାଳୀନ ଜଣେ ଅତ୍ୟନ୍ତ ଧନଶାଳୀ ବ୍ୟକ୍ତି । (A big banker of Cuttack of the time)ତାଙ୍କର ବଂଶଧାରମାନେ ବର୍ତ୍ତମାନ ବାଖରାବାଦରେ ବସ କରୁଅଛନ୍ତି ।

 

୧୩ । ମୋଟରି - ଢେଙ୍କାନାଳ ଗଡ଼ର ଆଠ ଦଶ ମାଇଲ ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ଏକ ପ୍ରାଚୀନ ପାଇକାଳି ଗ୍ରାମ । ଏହାର ନାମ ଥିଲା ମୋଟରି-ଗଡ଼ଦ୍ଵାର । ସେ କାଳର କଟକ-ସମ୍ଵଲପୁର ରାସ୍ତା ଉପରେ ଢେଙ୍କାନାଳ ସୀମାରେ ଏହା ଅବସ୍ଥିତ ଥିଲା । ଏଠାରେ କେତେବେଳେ ଢେଙ୍କାନାଳର ଗୋଟିଏ ତୋରଣ(ପ୍ରବେଶ ଦ୍ଵାର), ରକ୍ଷୀଦୁର୍ଗ ଓ ସୈନ୍ୟ ସମାବେଶ ପାଇଁ ବିସ୍ତୀର୍ଣ୍ଣ ପଡ଼ିଆ ଥିଲା ।୧୪ ପଦ ଠରୁ ୧୯ ପଦ ପର୍ଯ୍ୟନ୍ତ ମରହଟ୍ଟାଙ୍କ ପ୍ରତି ବ୍ୟଙ୍ଗରେ ଲୋଖାଯାଇଅଛି ।

 

୧୪ । ପାଶୋରିବ - ପାଶୋରିବେ (ପାଠାନ୍ତର) ।

 

ଦଇବେ ସେ ତ ପଣ୍ଡିତ ଗୋସାଇଁ

ବହୁତ ମତେ ସେବା କଲେ ଯାଇଁ ସେ

କୋଶେ ଅନୁସରି ଗଲେ ଯେ

କେତେ ଜମାଦାର ସେବାରେ ତାଙ୍କର

ଠାବେ ଠବେ ବସା କଲେ ଯେ ।୧୫।

ଅତି ଦୟାଳୁ ପଣ୍ଡିତ ସାହେବେ

ଚଉଧୁରୀ ବଡ଼ଲୋକ ଦଇବେ

ରାଜାଙ୍କ ଏ ଅନୁସରଣ ଘେନି

ଅତି ପରସନ ହୋଇଲେ ବେନି ସେ

ଇନାମ ଦେଲେ ବହୁତ ଯେ

ଗାଡ଼ି ଘୋଡ଼ା ଓଟ  ପାଲିଙ୍କି କନାଟ

ତମ୍ଵୁ ଶାଲ ବନାଉତ ଯେ ।୧୬।

ଖରଡ଼ ସତରଞ୍ଜ ଛିଟ ତୁଳି

ରେଜାଇ ଗାଲିଚା ଶେଯ ମୁଚୁଳି

ଗଡ଼ୁଆ ଗଗରା ବାସନ ମାନ

କେତେ ଯାଚି ଦେଲେ ହୋଇ ପ୍ରସନ୍ନ ସେ

ଗ୍ରାହକ ଅଟନ୍ତି ସେ ତ ଯେ

ଗୁଣ ଚହ୍ନି ଅତି ତରଳି ଯାଇ ସେ

ବୋଇଲେ ନିଅ ସମସ୍ତ ଯେ ।୧୭।

ମାତଙ୍ଗ ଧଣ୍ଡା କମାଣ ନିଶାଶ

ଢାଲ ତରୁଆଲ କଟାରୀ ପୁଣ

ସବୁ ଦେଇ ତେବେ ସନ୍ତୋଷ ନୋହି

ଜୀବନ ଯାଚି ଦେଲେ କେହି କେହି ସେ

ତହିଁ କଉଁ କଉଁ ଜନ ଯେ

ଆନନ୍ଦେ ଦିଗାମ୍ଵର ବେଶେ ଚଳିଲେ

ପିନ୍ଧା ବାସ କରି ଦାନ ଯେ ।୧୮।

 

୧୫। କିଛୁ - କିଛି; କରି (ପାଠାନ୍ତର) ।

୧୭ । ତୁଳି-ତୁଳା ନିର୍ମିତ ଗଦି । ମୁଚୁଳି -ଛୋଟ ତକିଆ ।

୧୮। ଧଣ୍ଡା - flag staff, ନିଶାଣ-ପତାକା । ଦିଗାମ୍ଵର (ଓଡ଼ିଆ ପ୍ରୟୋଗ- ସଂ; ଦିଗମ୍ଵର) ।

 

ପଣ୍ଡିତ ସାହେବ ହିଁ ସବୁ ଦେଇ

କହିଲେ ଅନୁରୂପ ହେଲା ନାହିଁ

ପ୍ରାଣହିଁ ଦେଉଥିଲେ ପ୍ରୀତି ବଶେ

ରାଜାଙ୍କ ଲୋକେ କହିଲେ ସନ୍ତୋଷେ ହେ

ଏଥର ବିଜଏ କରଯେ

ଆଉଥରେ ଯେବେ       ଦହିମାଛ ହେବ

ଏହା ଘେନିବୁ ନିକର ଯେ ।୧୯।

 

ଚଉଧୁରୀ ବାବା ସନ୍ତୋଷ ହୋଇ

ଏହି ରୂପରେ ସବୁ ଗଲେ ଦେଇ

ଯହୁଁ ମୁଲକ ହୋଇଗଲେ ପାରି

ସଂସାର ଯାକରେ ପଡ଼ିଲା ହୁରି ସେ

ଢେଙ୍କାନାଳ ନରପତି ଯେ

ଯାଉଁ ଯାଉଁ ବାଟେ ଲୁଟିଲେ କପଟେ

କଟକ ସାରା ସମ୍ପତ୍ତି ଯେ ।୨୦।

 

ସହଜେ ତ ତାଙ୍କୁ ପଡ଼ିଲା ଦଣ୍ଡ

ଘାଉଆ ଯିବାରେ ନ ଚଳେ ଦାଣ୍ଡ

ଗୋଟିଏ ନାହାନ୍ତି ନ ବାଜି କାଣ୍ଡ

ହଜାର ହଜାର ହୋଇଲେ ରାଣ୍ଡ ସେ

ନେଉଟି ପଡ଼େ ସହର ଯେ

କାହା ସୁତ ବର ଖୁଡ଼ୁତା କାହାର

ମଲେ ଶଶୁର ଦିଅର ଯେ ।୨୧।

 

ସଂସାରେ ଅକୀର୍ତ୍ତି ହେବାରୁ ଘୋର

ସବୁ ତଲାସି ଦେଲେ ନରେଶ୍ୱର

ତଥାପି ତାଙ୍କ ମନ ଧିରା ନୋହେ

ଲୋକ ପେଶିଲେ ନାଗପୁର ଯାଏ ସେ

ଏମନ୍ତେ କଲେ ଅରଜି ଯେ

 

୧୯। ଦହିମାଛ ହେବ - ପ୍ରାଚୀନ ରୀତି ଅନୁସାରେ ଯାତ୍ରା ଆରମ୍ଭରେ ଶୁଭସୂଚକ ଦହି ଓ ମାଛ ଭାର ଆଗ ବାହାରୁଥିଲା । ତେଣୁ ‘ଦହି ମାଛ ହେବ’ ର ମାନେ ଯଦି ପୁଣି ଆକ୍ରମଣ ପାଇଁ ଯାତ୍ରା କରିବେ ତେବେ

 

ଢେଙ୍କାନାଳ ରାଜା ପ୍ରବଳେ ତମାମ

ଓଡ଼ିଶା ଯାଉଛି ଭାଜି ଯେ ।୨୨।

ଯେଣୁ ଚୁଗୁଲି ନାନାମତେ କଲେ

ଆପେ ଚେମଣା ବାବୁ ବାହାରିଲେ

ବାଟକୁ ରାଜା ରାମ ମଞ୍ଜୁ ଯାଇ

ବୋଇଲେ ବଙ୍ଗଳା ଯାଅ କିପାଇଁ ସେ

କଲିକତା ଢେଙ୍କାନାଳ ଯେ

ଏହା ସାଧ୍ୟ କରି ନ ଗଲେ କଟକ

ଛାଡ଼ି ଯାଉଛୁ ସମ୍ଭାଳ ଯେ ।୨୩।

ସାରା ଫଉଜ ପକାଇଲେ ଆଣି

ମହା ଭୟରେ କମ୍ପିଲା ଧରଣୀ

ପବନ ନ ଚଳି ହୋଇଲା ସ୍ଥିର

ଶୁଖିଲା ସରିତ ପିଅନ୍ତେ ନୀର ସେ

ଅବାଟ ହୋଇଲା ବାଟ ଯେ

ଦଶ ଦିଗେ ଧ୍ୱନି ପୂରିଲା ବାଜନ୍ତେ

ବାଜୀ କରୀ ଘଣ୍ଟି ଘଣ୍ଟ ଯେ ।୨୪।

ବାରଦିନ ତାଙ୍କ ପଡ଼ିବା ଘେନି

ତଳକୁ ଲଶିଗଲାକ ମେଦିନୀ

ଅଟଇ ସେ ଅତି ନିଦାଘ କାଳ

ଜଳ ନ ପାଇ ହୋଇଲେ ଆକୁଳ ସେ

ବାଜୀ ନ ପାଇଲେ ଚରା ଯେ

ବାଡ଼ିରେ ଅନେକ ମରିଗଲେ ଲୋକ

ସହି ନ ପାରିଲେ ଖରା ଯେ ।୨୫।

ଉପର ମନେ ବନ୍ଦୋବସ୍ତ କରି

ଫଉଜ କଟକ ଗଲେ ବାହାରି

 

୨୨। ନରେଶ୍ୱର - କଟକସ୍ଥ ନାଗପୁର ଭୋଁସଲାଙ୍କ ପ୍ରତିନିଧି

୨୩। ଆପେ ….. ବାହାରିଲେ- ନାଗପୁରରୁ ଆସିଲେ (ସେତେବେଳେ ସେ ବଙ୍ଗଦେଶ ଆକ୍ରମଣ କରିବାକୁ ବାହାରୁଥିଲେ )।

୨୪। ମହା-ଯାହା (ପାଠାନ୍ତର ) । ଘଣ୍ଟି ଘଣ୍ଟ - କଣ୍ଠ ଘଣ୍ଟ (ପାଠାନ୍ତର)

୨୫। କାଢ଼ିର- ଝାଡ଼ାବାନ୍ତି ରୋଗରେ ।

 

ପଇସା ତ ସବୁ ମିଳିଲା ନାହିଁ

ଏଣୁ ଚେମଣାବାବୁ ରୋଷ ବହି ସେ

ଜଳିଲେ ଅଗ୍ନି ପରାଏ ଯେ

ମଞ୍ଜୁ ରାଜା ରାମ- ଙ୍କର କ୍ରୋଧ ବାଣୀ

ଘୃତ ତହିଁ ପଡ଼ୁଥାଏ ଯେ । ୨୬।

କ୍ରମେ ଶେଷ ହେଲା ବରଷାକାଳ

ପଥହିଁ ଚଳିଲା ଶୁଖନ୍ତେ ଜଳ

ଢେଙ୍କାନାଳକୁ ଧଣ୍ଡା ହେଲା ପାରି

ଫଉଜ ଆସିବେ ପଡ଼ିଲା ହୁରି

ସାଜିଲେ ସର୍ବ ସମ୍ଭାର ଯେ

ଜୀନ ଜିନିଷ        ଲାଲମେଖ ଦଉଡ଼ି

ଚାରିଦାମା କଳିଆର ଯେ ।୨୭ ।

 

୨୬। ଉପର ମନେ-ଲୋକ ଦେଖାଣିଆ ଭାବରେ । ପୂର୍ବ ପଦର ବର୍ଣ୍ଣନା ପ୍ରକାରେ ସେ ଭୀଷଣ ଗ୍ରୀଷ୍ମକାଳର ଅଯୌକ୍ତିକ ଅଭିଯାନରେ ନାନା ଭାବରେ ଅସୁବିଧା ଓ ପରାଜୟ ଭୋଗିବାକୁ ବାଧ୍ୟ ହୋଇ ଢେଙ୍କାନାଳ ପରିତ୍ୟାଗ କରି ଚାଲିଆସିବାର କଥା; ମାତ୍ର ସେହି ଉଦ୍ଦେଶ୍ୟ ସର୍ବସାଧାରଣରେ ପ୍ରକାଶିତ ହେଲେ ସମ୍ରାଟ ତୁଲ୍ୟ ପରାକ୍ରାନ୍ତ ଓ ସମ୍ମାନାସ୍ପଦ ଭୋଁସଲାଙ୍କର ମର୍ଯ୍ୟାଦା ହାନି ହେବାର ଆଶଙ୍କା ଥିବାରୁ ଦେଖାଇ ହେଲେ ଯେ ଆବଶ୍ୟକ ଥିବାରୁ ପୂର୍ବ ପ୍ରସ୍ତାବ ମୁତାବକ ସୈନ୍ୟ କଟକ ଫେରି ଯାଉଅଛନ୍ତି । made a show of apparent pre-planned retreat ! ପଇସା ତ ସବୁ ମିଳିଲା ନାହିଁ -ଢେଙ୍କାନାଳ ରାଜାଙ୍କଠାରୁ ପ୍ରାପ୍ୟ ପେସକସ ମିଳିଲା ନାହିଁ ।

 

୨୭ । ଧଣ୍ଡା (ହିନ୍ଦି ଝଣ୍ଡା ) -ସୈନ୍ୟ ଦଳରେ ବ୍ୟବହୃତ ଧ୍ଵଜା । ଜିନିଷ (ଆରବିକ ଜିନସ୍) – ଦ୍ରବ୍ୟ, ଜିନ ଆଦି ପଦାର୍ଥ । ଲାଲ ମେଖ (ଆରବିକ-ନାଲମେଖ) –ଘୋଡ଼ା ନାଲରେ ମାରିବା କଣ୍ଟା ।( Molelsworth’s Marhatti English Dictionary. ) ଚାରିଦାମା (ପାର୍ଶିାଆନ—ଚାରଜମା ବା ଚାରଦମା) ଘୋଡ଼ା ପିଠିରେ ପକାଯାଉଥିବା ଚାଦର । a saddle composed of folds of cloth – olelsworth.) କଳିଆର (ସଂ-ଖଳୀନ)---ମୁଖ୍ୟତଃ ଲଗାମର ଦୁଇ ମୁଣ୍ଡରେ ଦୁଇ ବଳୟଯୁକ୍ତ ଲୌହ ନିର୍ମିତ ଶଳାକା ଅଂଶ, ଯାହା ଘୋଡ଼ାର ପାଟି ଭିତରେ ରହେ । ଏଣୁ ସ୍ଥୂଳରେ ପୁରା ଲଗାମକୁ ମଧ୍ୟ କଳିଆର କୁହାଯାଏ ।

 

ହାଉଦା ଅମାରୀ ଆନ୍ଧୁ ଶିକୁଳି

ଟୋପର ପଲାଞ୍ଚିଆ ଘଣ୍ଟମାଳୀ

ଗଡ଼ି ଶଗଡ଼ ଶଗଡ଼ ପଲାଣ

ଭାର ସମ୍ଭାର ସିନ୍ଧୁକହିଁ ପୁଣ ସେ

ଖଟ ଚଉକି ପାଲିଙ୍କି ଯେ

ତମ୍ଵୁ କନାଟ ନାନାଜାତି ବିଛଣା

ସମିଅନା ନୋହେ ଲେଖି ଯେ ।୨୮।

 

ତୋପ କମାଣ ତିଶକଟ ଗୁଣ୍ଡ

ଜଜାଲ ଜମ୍ଵୁରା ନଳୀ ପ୍ରଚଣ୍ଡ

ପେଟକଟା ସାତହାଥ ବନ୍ଧୁକ

ଗରନାଳ ବାଣ ସବୁହୁଁ ଟେକ ଯେ

ଚକମକି ନଗା ନାଳୀ ଯେ

 

୨୮ । ହାଉଦା—ହାତୀ ଉପରେ ବସିବାର ଆସନ । ଅମାରୀ—ହାତୀ ଉପରେ ରାଜାଙ୍କ ବସିବାପାଇଁ ସାଧାରଣ ହାଉଦାଠାରୁ ଅଧିକ ମୂଲ୍ୟବାନ୍ ଓ ସୁସଜ୍ଜିତ ବିମାନ ସଦୃଶ ନିର୍ମିତ ଆସନ-। ଆନ୍ଧୁ—ହାଉଦା ତଳେ ପକାଯିବା ସୋଲ ପ୍ରଭୃତି ଦ୍ଵାରା ନିର୍ମିତ ଗଦି । ଶିକୁଳି---ଲୁହା ଜଞ୍ଜିର । ହାତୀକୁ ରହିବାବେଳେ ବାନ୍ଧିବା ପାଇଁ ବ୍ୟବହୃତ ଜଞ୍ଜିର । ଚାଲିବାବେଳେ ଏହା ସାଧାରଣତଃ ହାତୀର ଗୋଡ଼ରେ ବୁଲେଇ ଦିଆଯାଇଥାଏ । ଟୋପର –ହାତୀ ମୁଣ୍ଡ ଉପରେ ଘୋଡ଼ଣୀ ଭାବରେ ପକା ଯାଉଥିବା ଚିତ୍ରିତ ଚାଦର । ପଲାଞ୍ଚିଆ ହାଉଦା ଓ ଅମାରୀ ଉପରେ ବିଛା ଯାଉଥିବା ମୂଲ୍ୟବାନ ଚାଦର । (ଘୋଡ଼ା ଜିନ ଉପରେ ଚାରଦମା ପରି ହାତୀରହାଉଦା ଉପରେ ପଲାଞ୍ଚିଆ ପକାଯାଏ)

 

ଘଣ୍ଟମାଳୀ—ଏକାଠେ ଗୁନ୍ଥା କେତେଗୁଡ଼ିଏ ଘଣ୍ଟ, ଯାହା ହାତୀ ବେକରେ ମାଳୀ ପରି ବନ୍ଧାଯାଏ । ଗଡ଼ି-ଜିନିଷ ଏକ ସ୍ଥାନରୁ ଅଳ୍ପ ଦୂରସ୍ଥ ଅନ୍ୟ ସ୍ଥାନକୁ ବୋହିବା ପାଇିଁ ବ୍ୟବହୃତ କ୍ଷୁଦ୍ର କ୍ଷୁଦ୍ର ଦୁଇଟି ଚକ ବିଶିଷ୍ଟ ଅତି କ୍ଷୁଦ୍ର ଯାନ, ଏହାଦ୍ଵାରା ରଥ ତିଆରି ବେଳେ କିମ୍ବା ଅନ୍ୟ ସମୟରେ କାଠ ଆଦି ବା ଅନ୍ୟ ଦ୍ରବ୍ୟାଦି ବୁହାଯାଏ । a trolly . ଶଗଡ଼ି (ଛୋଟ), ଶଗଡ଼ (ବଡ଼) ପଲାଣ - ସଂ-ପର୍ଯ୍ୟାଣ) ଥୋରିଆ ବଳଦ ପିଠିରେ ପକାଯିବା ଗଦି ବା ଅଖାର ଚାଦର । କନାଟ –(ଆରବିକ କନାତ୍) ଆଖନ୍ଦ କରିବା ପାଇଁ ତମ୍ଵୁରେ ଘେରା କନାବାଡ଼ । ସମିଆନା—(ପାର୍ଶି ଶାମିଆନା ) ବଡ଼ ଚାନ୍ଦୁଆ ।

-

ଗାରଦିଏ ଧରି ବାହାରିଲେ ଯହୁଁ

ବ୍ରହ୍ମାଣ୍ଡ ଦିଅନ୍ତି ଜାଳି ଯେ ।୨୯।

ତେଲେଙ୍ଗା ବାହାର ଧରି ଢଙ୍କୁଣ

ଯହିଁ ନ ଦିଶିଲା ସୂର୍ଯ୍ୟ କିରଣ

ବାରୁଦ ଗୁଳା ଗୁଳି ଭାର ଭାର

ରଞ୍ଜକ ଜାମୁକି ନିଆଁ ପଥର ସେ

ବେଲାଦାନୀ ନାନା ସଜ ଯେ

ଢାଲ ଖଣ୍ଡା ଛୁରୀ କେ ବାଙ୍କୁ କଟାରୀ

କା ହାଥେ ସାବେଳୀ ସାଞ୍ଜ ଯେ ।୩୦।

 

୨୯। ଗୁଣ୍ଡ (ଦେଶଜ) ତୋପ । ତିଶିକଟ ଗୁଣ୍ଡ - ଲମ୍ଵା ତୋପ, ଯାହା ତିନି ଯୋଡ଼ା ଚକବାଲା ଗାଡ଼ିରେ ନିଆଯାଏ । ଜଜାଲ-ଛୋଟ ତୋପ । jinjall-A wall piece carrying a ball of near a pound weight. (Early European Travellers in the Nagpur Territories- P. 166) ଜମ୍ଵୁରା –ଏକ ଶ୍ରେଣୀର ବଡ଼ ବନ୍ଧୁକ । ଅଶ୍ଵ ବା ଉଷ୍ଟ୍ରାରୋହୀ ସୈନ୍ୟ ବ୍ୟବହାର କରନ୍ତି । ‘ହାଥୀ’ ଉପରେ ଗଣ୍ଠିଆ ପଟେଚିରା, ଓଟ ଉପରେ ଜଜାଲ ଜମ୍ଵୁରା ୩ୟ-୧୬ । ପେଟକଟା ସାତହାଥ ବନ୍ଧୁକ-ନାମରୁ ଏହାର ଆକୃତି ଅନୁମାନ କରାଯିବ। ଗରନାଳ ବାଣ (ଆରବିକ-କରନାଳି) ଏହା ମଧ୍ୟ ଏକଜାତୀୟ କ୍ଷୁଦ୍ର ତୋପ । ଚକମକି-ନଗାନଳୀ- flint gun, ପଥର ବସା ବନ୍ଧୁକ । ଏ ବନ୍ଧୁକର ଗୋଡ଼କୁ ଟିପିଲେ ଉପରର ଘୋଡ଼ା ଯାଇ ଟୋପି ଘରରେ ଲଗା ଯାଇଥିବା ଚକମକି ପଥର ଉପରେ ଆଘାତ କରେ ଓ ତହିଁରୁ ନିଆଁ ବାହାରି ଭିତରେ ବାରୁଦକୁ ଜଳାଏ ଓ ବନ୍ଧୁକ ଫୁଟେ । (ଗାରଦୀ)—ପଦାତିକ ସୈନ୍ୟ (Molesworth’s Marhatti English Dictionary)ଗରନାଳ ବାଣ

 

୩୦ । ଢଙ୍କୁଣ—ଏକପ୍ରକାର ଭୁଷିବା ଯନ୍ତ୍ର, ଏକ ମୁନା ? ତେଲେଙ୍ଗା ସୈନ୍ୟମାନେ ବ୍ୟବହାର କରୁଥିଲେ । ଏହି ଶ୍ରେଣୀର ତେଲେଙ୍ଗା ସିପାହି ଢେଙ୍କାନାଳଗଡ଼ର ଯେଉଁ ଅଂଶରେ ରହୁଥିଲେ ଅଦ୍ୟାପି ତାହାର ନାମ ରହି ଯାଇଅଛି ‘ଢଙ୍କୁଣିଆ ସାହି’ ।

 

ରଞ୍ଜକ—(ରଞ୍ଜୟତି ଇତି ରଞ୍ଜକ) ଜାମୁକି (ପାର୍ଶି-ଜାମିଗୀ) ତୋଡ଼ାଦାର

The match of a gun. (Molesworth)ବନ୍ଧୁକରେ

ଘୋଡ଼ା, ସାପ ଜିଭ ପରି ଦୁଇ କେନିଆ ହୋଇଥାଏ । ସେହି କେନା ମଧ୍ୟରେ କୁମ୍ଭୀ ବା ଶିଆରୀ ଲଇ ଗଛ ଛାଲରେ ତିଆରି ସରୁ ଦଉଡ଼ି ଖଣ୍ଡେ ବସାଯାଇଥାଏ ।

--

ଧଁଅସା ନାଗରା ନୌବତ ଝାଡ଼ି

ତେଲଙ୍ଗୀ ବାଜା ଚାଙ୍ଗୁ ଗୁଡ଼ୁଗୁଡ଼ି

ବିବିଧ ବନ୍ଧରେ ଗାରଦି ବାଦ୍ୟ

ନା-ମରଦ ଶୁଣି ହୋଏ ମରଦ ସେ

ଭେରୀ ରଣଶିଙ୍ଗା ତୁରୀ ଯେ

କେହି ମୁହୁଚୁଙ୍ଗ  ରଙ୍ଗେ ଗାଉଛନ୍ତି

କେହୁ କରତାଳ ଧରଯେ । ୩୧।

ମୁଦି ଦୋକାନି ଠଠାରି ବଜାରି

ବଣିଆ ଗଣ୍ଡା ଉଆକାର ବାରି

 

ଏ ଦଉଡ଼ିରେ ନିଆଁ ଲଗାଇଦେଲେ ଅନେକ ସମୟ ପର୍ଯ୍ୟନ୍ତ ରହେ । ତଳେ ବନ୍ଧୁକ ଗୋଡ଼କୁ ଟିପିଲେ ଉପରେ ଘୋଡ଼ାରେ ଲାଗିଥିବା ନିଆଁ ଦଉଡ଼ି ଯାଇ ବନ୍ଧୁକର ଟୋପି ଘରର ସରୁ ଛିଦ୍ରବିଶିଷ୍ଟ ନଳୀରେ ଭରତି କରା ଯାଇଥିବା ବାରୁଦକୁ ଜଳାଏ ଏବଂ ତାହା ଜଳି ପୁଣି ଭିତରର ବାରୁଦ ଆଦିକୁ ଜଳାଏ ଓ ବନ୍ଧୁକ ଫୁଟେ । ଉକ୍ତ ସରୁ ଛିଦ୍ର ବିଶିଷ୍ଟ ନଳୀରେ ଥିବା ବାରୁଦର ନାମ ରଞ୍ଜକ ଓ ଉକ୍ତ ନିଆଁ ଧରାଇବା ଦଉଡ଼ିର ନାମ ଜାମୁକି ।

 

ବେଲାଦାନୀ—ବାରୁଦ ରଖିବାର ଦାନୀ । ଗୋଟିଏ ବେଲ ଫଳର ଭିତର କୋରି ଦେଇ ଫମ୍ପା କରି ସେଥିରେ ପହିଲେ ବାରୁଦ ରଖାଯାଉଥିଲା, ଏଣୁ ଏହାର ନାମ ବେଲଦାନୀ ବା ବେଲାଦାନୀ କୁହାଯାଏ । ପରେ କାଠ ଚମଡ଼ା ଟିଣ ପ୍ରଭୃତି ଅନ୍ୟ ଦ୍ରବ୍ୟରେ ମଧ୍ୟ ଏହା ତିଆରି କରାଗଲା; ମାତ୍ର ନାମ ସେହି ବେଲାଦାନୀ ରହି-ଯାଇଅଛି । ବାଙ୍କୁ କଟାରୀ –ବାଙ୍କୁଛୁରୀ, (ଛବି ଦେଖ) । ସାବେଳୀ-ତୋମରାସ୍ତ୍ର, ଶାବଳପରି ଅସ୍ତ୍ର ବିଶେଷ । (ଛବି ଦେଖ) । ସାଞ୍ଜ—ଏହା ମଧ୍ୟ ଏକ ଅସ୍ତ୍ର ।

 

୩୧। ଧଅଁସା—(ଦେଶଜ) ଏକପ୍ରକାର ନାଗରା । ଏହା ହାତୀ ଉପରେ ବସି ବଜାଯାଏ । ‘ଘୋଡ଼ା ଉପରେ ଘସା, ହାତୀ ଉପରେ ଧଁସା’ । (ପ୍ରାଚୀନ ପ୍ରବଚନ) । ନୌବତ –ଅରବିକ-ନାଓବତ୍, (ନହବତ୍) ବିବିଧ ପ୍ରକାରର ସମ୍ମିଳିତ ବାଦ୍ୟ । ଏହା ସାଧାରଣତଃ ଗୋଟିଏ ଭାଡ଼ି ବା ମଞ୍ଚା ଉପରେ ବସି ବଜାଯାଏ । ଝାଡ଼ି, ଚାଙ୍ଗୁ ଗୁଡ଼ିଗୁଡ଼ୁ—ବିଭିନ୍ନ ପ୍ରକାରର ବାଜା । ତେଲଙ୍ଗା ବାଜାକାରମାନଙ୍କର ସାଧାରଣ ବ୍ୟବହାର୍ଯ୍ୟ । ବନ୍ଧ—ଗତ, ଗାଇବା ବା ବଜାଇବାର ରୀତି । ଗାରଦୀ ବାଦ୍ୟ—Military concert accompanying foot soldiers. ନା-ମରଦ—ଯେ ମରଦ ନୁହେଁ, ମାଇଚିଆ, ଭୀରୁ । ମୁହୁଚୁଙ୍ଗ ବା ମୁହୁଚୁମ୍ବ—ମହୁରୀ, କାହାଳୀ ପରି ଏକ କ୍ଷୁଦ୍ର ବାଜା (ଆକାର କ୍ଷୁଦ୍ର; ପେହେଁକାଳି) ।

--

ପାନରା ପନିଅରା କେତେ ମାଳୀ

ଲକ୍ଷ ଲକ୍ଷ ଲଦା ବଳଦ ଚଳି ସେ

ମୋଚି ଚମାର କମାର ଯେ

କୋଟି କୋଟି ହୋଇ  ଲୁଟି ପାଇଁ ଯହିଁ

ଲେଚା ଲୁଙ୍ଗୁଡ଼ା ବାହାର ଯେ ।୩୨ ।

ଆଗାଡ଼ି ଲସକର ଚଳିଗଲେ

ମଜୁଲିକେ ଯାଇଁ ଧଣ୍ଡା ଗାଡ଼ିଲେ

ରାଜା ହିଁ ବାହାର ପଛେ ହୋଇଲେ

ଆର ଛାନ୍ଦେ ଏହା ବର୍ଣ୍ଣିବା ଭଲେ

ନୀଳାଚଳ ଚନ୍ଦ୍ର ଚିନ୍ତି ଯେ

କବି ବ୍ରଜନାଥ ବଡ଼ଜେନା ରସେ

ଏ ଚରିତ ରଚୟତି ଯେ ।୩୩ ।

 

୩୨। ମୁଦି (ହିନ୍ଦୀ)-- grocer. ଠଠାରି---ଥଟାରି । ଗଣ୍ଡା—ଗ୍ରାମ । ଚୌକିଦାର—ସମ୍ଵଲପୁରି ଶବ୍ଦ ଗଁଡ଼ା । ବର୍ତ୍ତମାନ ସୁଦ୍ଧା ଏ ତରଫରେ ଗାଁ ଗଣ୍ଡା, ଶବ୍ଦର ପ୍ରଚଳନ ଅଛି । ଅତଏବ ଗଣ୍ଡା, ଉଆକାର ବାରି—ବିଭିନ୍ନ ଶ୍ରେଣୀର ଧେଣ୍ଡୁରା ଦେବା ଲୋକ । ପନିଅରା—(ପଣ୍ୟକର କିମ୍ଵା ପର୍ଣ୍ଣ ଶବ୍ଦଜ) ପରିବା ବିକ୍ରେତା ।

ଲୋଚା—(ପାର୍ଶି-ଲୁଚା ଶବ୍ଦଜ)

pilferer; Sneaky fellows

pilferer; Sneaky fellows

ଲୁଙ୍ଗୁଡ଼ା—(ଦେଶଜ)             .

ଲଦା ବଳଦ—ଥୋରିଆ ବଳଦ Pack bullocks.

୩୩ । ଆଗାଡ଼ି—(ହିନ୍ଦୀ) ଆଗରେ । ଧଣ୍ଡା ଗାଡ଼ିଲେ—ପତାକା ପୋତିଲେ

ମଜୁଲିକେ—ମଝିଲୋକେ (ପାଠାନ୍ତର) । ମଧ୍ୟବର୍ତ୍ତୀ ଦଳ ।

-

ଚାଲି ଚଲାଇ ଚଲୁଛି କେହି କାହା ଟାଙ୍ଗଣ ଯାଉଛି ବହି

କେ ଘୋଡ଼ୀ ଅଡ଼ି ରହନ୍ତେ ଲେଡ଼ି ଯୋଡ଼ି ଲଗାଇ ଯେ

କେଉଁଠି ଚାଲେ ଦୁଇ ଗୋଡ଼ରେ             ସୁଆର ଖସି ପଡ଼ିବା ଡ଼ରେ

କଣ୍ଠକୁ ଭିଡ଼ିଧରି ଦୃଢ଼ରେ ସମ୍ଭାଳି ରହି ଯେ

କାହା ଘୋଡ଼ା ଘୋଡ଼ୀ କି ଦେଖି ଆଗରେ ଯେ

ମତ୍ତେ ମିଶି ଆସନ୍ତେ ଅତି ବେଗରେ ଯେ

ବାଗ ହାଥକୁ ଅଳପ ମୋଡ଼ି             ଆଡ଼େ ସଳଖି ଲଗାନ୍ତେ ଲେଡ଼ି

ପବନ ପରି ଗଲା ସେ ଉଡ଼ି ସେହି ଲାଗରେ ଯେ ।୩।

 

କାହା ହିଂସାର ସ୍ଵନେ ସଂସାର             କମ୍ପି ଉଠୁଛି କେହୁ ବିସାର

ପରି ଛଟକେ କେ ବାଜୀ ତାର ପରା ଗତିରେ ଯେ

ଜଳ ଭଉଁରୀ ପରା କେ ଫେରି      କେ ଘୋଡ଼ୀ ଅତି ପ୍ରଖରେ ଉଡ଼ି

ଯାଇ ଆସୁଛି ବାମ ଦକ୍ଷିଣ ଦୁଇ କତିରେ ଯେ

କେହୁ ନାଟୁଆ ପରି ଦିଶେ ଗତିରେ ଯେ

କାହା ଚରଣ ଥୟ ନୋହେ କ୍ଷିତିରେ ଯେ

କେ ବକ୍ର ଆସେ ଗ୍ରୀବାକୁ ମୋଡ଼ି            ଡେଇଁ ଯାଉଛି ଯୋଡ଼ିକି ଯୋଡ଼ି

କେ ସ୍ରୋତ ନଦୀ ନାବ ପରାଇ ଚାଲେ ରୀତିରେ ଯେ ।୪।

 

ଅତ୍ୟନ୍ତ ମତ୍ତ ମାତଙ୍ଗ କୁଳ             ଚଳନ୍ତି ଧୀରେ ହୋଇ ପ୍ରବଳ

କିସେ ପ୍ରଚଳ ପର୍ବତ ମାଳ ମାନ ସଂକୁଳ ଯେ

କିବା ଧରଣୀ ତରୁଣୀ ନୀଳ             ଦୁକୂଳ ପିନ୍ଧି ଦିଶେ ମଞ୍ଜୁଳ

କିସେ ଆକାଶୁଁ ଛିଡ଼ି ପଡ଼ୁଛି ଜଳଦଜାଳ ଯେ

ଏତେ ବେଳରେ ମଦ ଜଳ ବରଷେ ଯେ

ଏହିରୂପେ ଆଭାସୁଅଛି ମାନସେ ଯେ

ପୁଣି କି ସିନ୍ଧୁ ମନ୍ଥିଲେ ଦେବେ                   ସିନ୍ଧୁର କୁଳ ଜନମି ଏବେ

ଅସଂଖ୍ୟ ହୋଇ ଆସୁଅଛନ୍ତି ଅତି ହରଷେ ଯେ ।୫।

 

କଉଁ ହସ୍ତୀକି ମୋତି ଝାଲର             ମାନିଛି କାହା କଣ୍ଠେ ସୁନ୍ଦର

ଘଣ୍ଟି ଘାଗୁଡ଼ି କାହାର ଥୋର ହସ୍ତ ବିଚିତ୍ର ଯେ

ପ୍ରବଳ ତୁଙ୍ଗ ବେଢ଼ି ମାତଙ୍ଗ             ରଙ୍ଗ ସଜରେ ସାଜିଛି ଅଙ୍ଗ

ଚାଲି କି ତାର ଗଙ୍ଗାତରଙ୍ଗ ଯୋଖିବା ମାତ୍ର ଯେ

 

୪ । ହିସାଂର – ହ୍ରେଷା, ଅଶ୍ଵର ଧ୍ଵନି । ବିସାର-ଶଫରୀ ମାଛ ।

୫ । ସିନ୍ଧୁର –ହସ୍ତୀ ।

କଉଁ ଗଜରାଜର ବସନ୍ତ ସଜ ଯେ

ପଚା ଭୂଷଣେ ଅତି ତୋରା କା ତେଜ ଯେ

ତାହାଙ୍କ ମତ୍ତ ମତିରୁଁ କରି             ବିଚାର ହୋଏ ନିଶ୍ଚେ ବଇରୀ

କୁଳ କମଳବନକୁ ଦଳି ଦେବେ ଏ ଆଜ ଯେ ।୬।

 

ଏହି ସମୟେ ଗଣକ ଯାଇଁ            ସାଏତ ଧରି କହିଲା ଏହି-

କ୍ଷଣି ପ୍ରୟାଣ କରିବା ବୀରବରକେଶରୀ ଯେ

ନେପାଳ ଦେଶ ଜାତ ସିନ୍ଧୁର            ଅମାରୀ କଷି କଲା ହାଜିର

ତହିଁ ଆରୋହି ରାଜା ଚେମଣାବାବୁ ବାହାରି ଯେ

ଚାରି ପାଶରେ ପାଗା ସୁଆରେ ଘେରି ଯେ

ନାମ ଖ୍ୟାତ ସିପାହୀମାନେ ବାହାରି ଯେ

ଲକିବ ଚୋପଦାରେ ଡ଼ାକନ୍ତି             କହି ନୋହେ ସେ ଯଉଁ ସମ୍ପତ୍ତି

କି ଅବା ଛିଡ଼ିପଡ଼ିଲା ସୁରନଗର ଶିରୀ ଯେ ।୭।

 

ବରଷାକାଳ ନଦୀ ପରାଇ             ବାଟେ ଅବାଟେ ଗଲେ ସେ ବହି

ଦଶକୋଶରେ ରହିଲା ନାହିଁ ତରୁ ତୃଣହିଁ ଯେ

ଚଳନ୍ତେ ତାଙ୍କ ଚରଣଘାତେ             ମହୀ ସମାନ ହେଲେ ପର୍ବତେ

ପିଇ ଯିବାରେ ଶୁଖିଲେ କେତେ ପୋଖରୀ ନଈ ଯେ

ପଥରହିଁ ରହିଲା ନାହିଁ ପଥରେ ଯେ

କାହା ଧୃତି ରହିବ ଅବା ଏଥିରେ ଯେ

ଧୂମାନ୍ତ କରି ମୁଲକଯାକ             ଧନ କାଞ୍ଚନ ଲୁଟି ଅନେକ

ପଡ଼ିଲେ ଯାଇଁ ଷାଠିଏ ବାଟି ବିଲ ଭିତରେ ଯେ ।୮।

ରାଜନମଣି ପୂର୍ବରୁ ଜାଣି             ଅଗାଧ ପାଣି ଜଳୀ ନିର୍ମାଣି

ପାଷାଣ କାନ୍ଥି ସଜାଡ଼ି ପୁଣି ମୁରୁଚା କରି ଯେ

 

୭। ସାଏତ (ଆରବିକ) ମୁହୂର୍ତ୍ତ, ଶୁଭ ମୁହୂର୍ତ୍ତ । ଲକିବ- (ଆରବିକ) ନକିବ; ରାଜାଙ୍କା ଉପାଧି ଆଦି ଯେ ଘୋଷଣା କରେ ଚୋପଦାର (ପାର୍ଶି) –ରାଜଦଣ୍ଡ ବହନକାରୀ ଭୃତ୍ୟ –A mace bearer

୮। ଷାଠିଏ ବାଟି – ଢେଙ୍କାନାଳ ଗଡ଼ର ଏକ ନାମଯାଦା ଅଂଶ ।

୯। ମୁରୁଚା (ପାର୍ଶି-ମୋରଚା), ଗଡ଼ କାନ୍ଥକୁ ଲାଗି ସୈନ୍ୟମାନଙ୍କ ଅବସ୍ଥିତି ଓ ଗୋଳା-ବାରୁଦ ଆଦି ରଖିବା ପାଇଁ ନିର୍ମିତ ଭାଡ଼ି ଜାତୀୟ ଗଠନ ।

 

ଉଣ୍ଡି ବାଜିବା ଥାନକୁ ହେଜି             ଭଣ୍ଡି କାଙ୍ଗୋଲା ଅଛନ୍ତି ସାଜି

ଚଣ୍ଡିପ୍ରସାଦ ଗୁଣ୍ଡକୁ ଖଞ୍ଜିଛନ୍ତି ବିଚାରି ଯେ

କାହିଁ ମୁଲକ ମଏଦାନ ତୋପକୁ ଯେ

ରୂପି ରଖିଅଛନ୍ତି କୋଶେ ଧାପକୁ ଯେ

ଅଳପ ପାରି କଉଁ ଗୁଣ୍ଡକୁ             ରୂପି ଅଛନ୍ତି ଖାଲ ମୁଣ୍ଡକୁ

ମଉଡ଼ା ଟେକିଛନ୍ତି କାହାର ଉଚ୍ଚ ମାପକୁ ଯେ ।୯।

 

କଉଁ ମୁରୁଚା ଭିତରେ ଭାଡ଼ି             ସଜାଡ଼ି ନଳୀ ଧାଡ଼ିକି ଧାଡ଼ି

ରୂପି ଅଛନ୍ତି ଲାଛିଲେ ଉଡ଼ିଯିବ କଉଡ଼ି ଯେ

କାହିଁରେ ସିପା ଲଗାଇ ଭିଡି-                  ଛନ୍ତି ଜଜାଲ ଯୋଡ଼ିକି ଯୋଡ଼ି

ଅଧ କୋଶରେ ବାଜିଲେ ଝଡ଼ି ପଡ଼ିବ ଘୋଡ଼ି ଯେ

ରୂପା କାହିଁରେ ପେଟକଟା କମାଣ ଯେ

ତାର ଫିଟିଲେ ଅଛି ଏହି ପ୍ରମାଣ ଯେ

କୋଶେ ସରିକି କି ତରୁ ଦାରୁ                   କିବା ପଥର କି ଅବା ମେରୁ

କି କରୀ ନର ବାଜୀ ନିକର ପୁରାଏ ମାଣ ଯେ ।୧୦।

 

କାହିଁରେ ଧାଉଁରିଆ ପହଣ୍ଡ                   ଜଳା ଭିତରେ ଗଳାଇ କାଣ୍ଡ

ବିନ୍ଧିବା ପାଇଁ ହୋଇଛି ମୁଣ୍ଡ-ଲୁଆଣ ଭଣ୍ଡି ଯେ

କାହିଁ ଢଙ୍କୁଣ ମାପକୁ ଆସି             କେତେବେଳରେ ଯିବେ ବା ପଶି

ବୋଲି ଢଙ୍କୁଣ ଅଛନ୍ତି କଷି ଗୁନ୍ଥିବେ ଗଣ୍ଡି ଯେ

ଆଣ୍ଟ କଣ୍ଟାରେ ମାରି ବହଳ ପଟା ଯେ

ଦିଗବାରଣ ଭାଡ଼ି ଗୋଟାକୁ ଗୋଟା ଯେ

 

୯ । ଭଣ୍ଡି-କାଙ୍ଗିଲା-କାନ୍ଥି ଦେହରେ ଧନୁ, ବନ୍ଧୁକ ବା ତୋପର ବ୍ୟବହାର ଉଦ୍ଦେଶ୍ୟରେ ରଖାଯାଇଥିବା ରନ୍ଧ୍ର । ତୋପ ପାଇଁ ଉଦ୍ଦିଷ୍ଟ କାଙ୍ଗୋଲା ଭଣ୍ଡିଠାରୁ ବଡ଼ । ଚଣ୍ଡି ପ୍ରସାଦ ଓ ମୁଲକ ମଇଦାନ –ଢେଙ୍କାନାଳର ଦୁଇଟି ପ୍ରସିଦ୍ଧ ତୋପ । ମଉଡ଼ା-ତୋପର ମୁହିଁ ।

୧୦। ସିପା-(ପାରିଭାଷିକ ଶବ୍ଦ-ରଜ୍ଜୁ) ଯାହାଦ୍ଵାରା ଜଜାଲ ସବୁ ନ ହଲିବା ପାଇଁ ମୁରୁଚା ଭାଡ଼ି ସଙ୍ଗେ ଜୋରରେ ବନ୍ଧା ଯାଇଥାଏ।

 

୧୧। ଧାଉଁରିଆ ପହଣ୍ଡଜଳା-ଦୁର୍ଗ କାନ୍ଥି ଓ ମୁରୁଚା ମଧ୍ୟରେ ପାଇକମାନେ ସହଜରେ ଶୀଘ୍ର ଶୀଘ୍ର ଦଉଡ଼ି ଯାଇପାରିବା ପାଇଁ ରଖାଯାଇଥିବା ସରୁ ବାଟ । ତାକୁ ସୁବିଧା କରି ଧନୁଶର ବିନ୍ଧିବା ପାଇଁ କାନ୍ଥିରେ ଛିଦ୍ର ବା ଜଳା କରାଯାଇଥାଏ ।ଦିଗ ବାରଣ ଭାଡ଼ି-watch tower. କେହି-କିପରି (ପ୍ରାଚୀନ ବ୍ୟବହାର); ବନିଲା—ବନାଇଲା, ନିର୍ମାଣ କଲା ।

 

କେହି ବନିଲା ଗଡ଼ ଦୁଆର             ଶଙ୍କା ନୋହିବ ଅବା କାହାର

ଲଙ୍କାରେ ମାତ୍ର ଥିଲା ସଜାଡ଼ି ଦଶମକୁଟା ଯେ ।୧୧।

 

ଏହି ସମୟେ ଜଣାଏ ଚାର             ଭୋ ମହାରାଜା ପ୍ରତାପୀ ବୀର

ଚେମଣାବାବୁ ପଡ଼ିଲେ ତାଙ୍କ ସୈନ୍ୟ ଅପାର ଯେ

ମଣିମା ଦିଶୁନାହିଁ ଧରଣୀ             ରହୁତ ନାହିଁ ପଥରେ ପାଣି

ଦେଖି ଆସୁଛି ମୁଁ ଏହିକ୍ଷଣି ଆଖିରେ ମୋର ଯେ

ପୁଣି ପୁଣି କହନ୍ତି ଅନେକ ଲୋକ ଯେ

ମହାରାଜା ବୁଡ଼ିଲା ନିଶ୍ଚେ ମୁଲକ ଯେ

କେ ବୋଲେ ନିଶ୍ଚେଁ ଗଲାଇଁ ଧରା କେ ବୋଲେ ରାଜା ଭେଟିବେ ପରା

କେ ବୋଲେ କିଛି ନୋହିବ ମରା ପଡ଼ିବେ ଲୋକ ଯେ ।୧୨।

 

ଏମନ୍ତେ ଶୁଣି ସେ ନୃପମଣି             ଦୋପରି ପରେ ଚାହିଁଲାକ୍ଷଣି

ନ ଦିଶେ ଗଜ ତୁରଙ୍ଗ ପୁଣି କେ ପାରେ ଗଣି ଯେ

ଦେଖିଲା ଲୋକ ହୋଇ କାତର ବୋଲନ୍ତି ଘୋଟି ଆସେ ସାଗର

ଲୋକେ ଚଳନ୍ତେ କହନ୍ତି ଦେଖ ତରଙ୍ଗପାଣି ଯେ

ଗଜମାନଙ୍କୁ ବୋଲନ୍ତି ଏ ମଗର ଯେ

ଓଟ ନୁହଁନ୍ତି ଭାସୁଛନ୍ତି କୁମ୍ଭୀର ଯେ

ଯୋଡ଼ିବା ଅଶ୍ଵ ଗତିକି ଚାହିଁ              ବୋଲନ୍ତି ମୀନ ଯାଆନ୍ତି ଡ଼େଇଁ

ଫେଣ ପରାଏ ମଣନ୍ତି ତହିଁ ଶ୍ଵେତ ଚାମର ଯେ ।୧୩।

 

ଉଡ଼ୁ ଅଛି ଯା ଧଣ୍ଡା ବୈରଖ              ପୁଣି ବୋଲନ୍ତି ମଣିମା ଦେଖ

ଏ କେଡ଼େ କେଡ଼େ ଲହରୀମାନ ଆସୁଛି ଉଠି ଯେ

ଗଡ଼ି ଶଗଡ଼ ଚଳିବା ଚାହିଁ             ସୋଲପ ପରା ମଣନ୍ତି ସେହି

ତମ୍ବୁମାନଙ୍କୁ ବୋଲନ୍ତି ଦେଖ ବୋହିତ ଏଟି ଯେ

ଗୁଣ୍ଡମାନଙ୍କୁ ସର୍ପ ପରାଏ ମଣି ସେ

ନଳୀମାନଙ୍କୁ କ୍ଷୁଦ୍ର ମୀନରେ ଗଣି ସେ

କେ ବୋଲେ ଆହେ ହେଲ କି ବାଇ             ସାକ୍ଷାତ୍ ସିନ୍ଧୁ ଗର୍ଜି ଆସଇ

ମିଶୁ ଅଛନ୍ତି କେତେ ନୃପତି ସରିତ ପୁଣି ଯେ ।୧୪।

 

ମହା ପ୍ରବଳ ଫଉଜ ଚାହିଁ             କାହା ଧଇର୍ଯ୍ୟ ରହିଲା ନାହିଁ

କେହି ବସିଲେ ବିଷାଦ ହୋଇ ମହୀକି ଚାହିଁ ଯେ

୧୩ । ଦୋପରି—ଦୋତାଲା ( c.f. ଅମ୍ଵିକା ବିଳାସ) । ଏହା ମଧ୍ୟ watch tower ର କାର୍ଯ୍ୟ କରୁଥିଲା ।

୧୪ । ସୋଲପ - କ୍ଷୁଦ୍ର ନୌକା । sloop.

 

କେ ଅବା ତହିଁ ମନେ ବିଚାରେ             ଅବଶ୍ୟ ହିଁ ତ ମରିବା ଥରେ

କେବଳ ହାଥ ଫିଟିବା କାଳ ହେବ କି ନାହିଁ ଯେ

କେହୁ ବୋଲଇ ମରିବାର ପ୍ରମାଣ ଯେ

ଛାଡ଼ିଦେଲେ ବାଜିବ ମୋର ଢଙ୍କୁଣ ଯେ

କେ ବୋଲେ ଆଗୁଁ କହି କି ହେବ             ଯାହା କରିବେ ଶ୍ରୀ ବଳଦେବ

ମନେ ହୋଉଛି ଅଖଡ଼େ ଯିବ ପରା ପରାଣ ଯେ ।୧୫।

 

ଏମନ୍ତ ଶୁଣି ସେ ନୃପବର             ବୋଲନ୍ତି ଏ ଯେ ଘୋର ସାଗର

ଘୋଟି ଆସୁଛି କିଛି ବିଚାର ନାହିଁ ମନର ଯେ

ନିଶରେ କର ପକାଇ କରି             ବୋଇଲେ ହେବି ମନ୍ଦରଗିରି

ମନ୍ଥି ଦେବି କି ଅଛ ବିଚାରି ମନେ ତୁମ୍ଭର ଯେ

ଏହି ସିନ୍ଧୁ ମନ୍ଥନ କରିବା ଯେବେ

କେତେ ଯଶ ରତନ ମିଳିବ ତେବେ ହେ

କେବଳ ତୁମ୍ଭେ ସୁର ଅସୁର             ପରାଏ ମୋତେ ଆଶ୍ଵାସି ଧର

କାଳକାଳକୁ କୀରତି ରହିଯିବ ଏ ଭବେ ହେ ।୧୬।

 

ଏମନ୍ତେ ବୋଲି ଉଠନ୍ତେ ଫୁଲି             ଫାଟି ଗଲାନି ଶ୍ରୀଅଙ୍ଗ ଚୋଲି

କହିଲେ କାଲି ବୁଝିବା ଚାଲିଚଲଣ ସବୁ ଯେ

ପ୍ରାଣକୁ ଆଶା ରଖିଛି ଯେହୁ             କହୁଛି ଏତେବେଳୁଁ ସେ ଯାଉ

ମରିବା ଲୋକ ମୋ ପାଶେ ଥାଉ ଚେମଣାବାବୁ ଏ

ତୁଚ୍ଛା ଛିଣ୍ଡାଉ ଥାଉ ନିଶକୁ ମୋଡ଼ି ହେ

କାଳ ଅଛି ଏତିକି ବେଳକୁ ପଡ଼ି ହେ

କେ ପାଢ଼ କେହୁ ମରଦ ଚିହ୍ନା             ଏହି ଠାବରେ ପଡ଼ିବ ସିନା

ଗୋଚରା ପରା ଛାଡ଼ିବି ନେଦା ପାଟ ଉପାଡ଼ି ହେ ।୧୭।

 

ଶୁଣି ଏମନ୍ତ ବଚନ କେହି            ନିଶେ ନିଃଶଙ୍କେ କର ପକାଇ

ସହି ନ ପାରି ବୋଇଲେ କେହି ଚିହ୍ନରା ନାହିଁ ଯେ

ଖାମିନ୍ଦ ବୋଲି ବୋଇଲ ଏହା             ନୋହିଲେ ନିକି ଯାଆନ୍ତା ସୁହା

କେବଳ ଗଣ୍ଡି ଦେଖିବ ମୁଣ୍ଡ ଦେଖିବନାହିଁ ଯେ

ଛାଡ଼ ଦେଖି ଏ ପାଢ଼ମାନଙ୍କୁ ଥରେ ହେ

ଗଡ଼ ଭିତରେ କିମ୍ପା ପଶିଛ ଡରେ ହେ

 

୧୭ । ଚୋଲି- ଅଙ୍ଗାଭରଣ ବିଶେଷ ( jacket ) । ପାଢ଼ - (ଦେଶଜ) ଭୀରୁ । ନେଦା - (ଦେଶଜ) ଶୁଷ୍କ କଠିନ ମଳ ଖଣ୍ଡ ।

 

ଗର୍ଦନ ମାର ପଛେ ଗୋସାଇଁ             ଏକଥା କେହୁ ପାରିବ ସହି

ରଙ୍ଗ ବଦନ ଅଙ୍ଗ ତାଙ୍କର କ୍ରୋଧରେ ଥରେ ହେ ।୧୮।

 

ଶୁଣି ସାନନ୍ଦ ସେ ନରେଶ୍ଵର            ବୋଇଲେ ଏବେ ହେଲା ଗୋଚର

ଏହା ଶୁଣିମା ପାଇଁ ପଡ଼ିଲା ସିନା କେବଳ ଯେ

ପଇସା ଘରେ ନାହିଁ ଆମ୍ଭର       ସେହି ତ ଦଶ ବିଂଶ ହଜାର

ନଯିବେ ପୁଣି ଯୁଝିବା କଥା ହୋଇଲା ମୂଳ ଯେ

ଆଗ୍ୟାଁ କରି ବିଜୟେ ଶ୍ରୀପାଲଙ୍କିରେ ଯେ

ଯାଇଁ ପ୍ରବେଶ ଗଡ଼ ମୁରୁଚା ଦ୍ଵାରେ ଯେ

ପୂର୍ବରୁ ଜଗିଥିଲେ ଯେ ଲୋକ             ଯଉଁ ଠାବକୁ ଯେତେ ପାଇକ

ଖଞ୍ଜି ରଖିଲେ ଗଡ଼ନାୟକମାନଙ୍କଠାରେ ଯେ ।୧୯।

 

କାହାକୁ ଚାହିଁ ବୋଲନ୍ତି ବାପା             ମୁଖ ଶୁଖାଇ ଦେଇଛ କିପାଁ

ଦେବି ସମୁଚା ଘୋଡ଼ା ଶିରୋପା ମୁକୁତା ନୋଳି ରେ

କେତେ ବେଳକୁ ମରଦପଣ             ଏହି ଠାବରେ ବୁଝିବା ଟାଣ

ଦେଖ ବସିଛି କେତେ କମାଣ ଜଜାଲ ନଳିରେ

ଗୋଡ଼ ବଢ଼ାଇ ସେ କି ଡ଼େଇଁବେ ଜଳୀରେ

ଅସୁର ତ ନୁହନ୍ତି ଦେବାକୁ ଗିଳିରେ

ଘଡ଼ିଏ ମାତ୍ର ଅନାଅ କିନା                   ପୋଡ଼ିବା ଏକା ବେଳକେ ସିନା

ଭଲ କେମନ୍ତେ କାଟିବ ନାହିଁ ଆମ୍ଭର ଗୁଳି ଯେ ।୨୦।

 

ଆର ମୁରୁଚା କତିକି ଯାଇଁ             କହନ୍ତି କିଛି ବିଚାର ନାହିଁ

ପିଠି ଉପରେ ଅଛି ଯେ ମୁହିଁ ଥାଅ ନିଶ୍ଚିନ୍ତ ଯେ

ବାନ୍ଧୁ ସେ ପଛେ ଫଡ଼କା ବାନା ଯେତେ ହୋଇଲେ ଲଡ଼କା ସିନା

କଡ଼କା ରଖି କି କରିବ ନା ମୂଳ ହେମନ୍ତ ଯେ

ବରଗୀଏ କି ଡେଣା ପାଇଲେ ଏବେ ଯେ

ଜଳୀ କାନ୍ଥିକି ଡେଇଁ ଉଡ଼ି ପଡ଼ିବେ ଯେ

କି ଅବା ତାଙ୍କ ଅଙ୍ଗ ପଥର            କାଟିବ ନାହିଁ ଆମ୍ଭର ତୀର

କେ ବକ କେହୁ ଶାମଳ ଚିହ୍ନା ଯିବ ଦଇବେ ଯେ ।୨୧।

 

୨୦ । ଶିରୋପା - ( ପାର୍ଶି-ସର-ଓ-ପା) ପଗଡ଼ି । ମସ୍ତକ ପାଇଁ ଉପହୃତ ବସ୍ତ୍ରଖଣ୍ଡ । ଦେବି ସମୁଚା….ନୋଳି - I shall award you a complete set of a pony, a turban and a pair of bejewelled earlings

୨୧ । ଫଡ଼କାବାନା—ଫଡ଼ ଫଡ଼ ଉଡ଼ୁଥିବା ପତାକା । କଡ଼କା ରଖି କି କରିବ ନା- What will he do in boyish rashness ? ହେମନ୍ତ—ହିମ୍ମତ । ଶାମଳ—ଶ୍ୟେନ ପକ୍ଷୀ; ବାଜ ପକ୍ଷୀ ।

 

କାହା ମୁରୁଚା କତିକି ଯାଇ             ପିଠିରେ ଠୁକି ବୋଲନ୍ତି ଭାଇ

ଏହି ସଳଖେ ଥିବୁଟି ଚାହିଁ ଅଇଲେ ବାହି ସେ

ହାଥେ ତୋ ଅଛି ଯଉଁ ଜମ୍ବୁରା             ପୋଡ଼ିବୁ ଏକା ହୋଇଣ ଧୀରା

ହାଥୀ ହୋଇଲେ ନେଉଟି ତେଣେ ପଡ଼ିବ ଯାଇଁ ଯେ

ମନ୍ଦ ହାସେ କହନ୍ତି ପୁଣି କାହାକୁ ଯେ

ସବୁଦିନେ ତ ଠୁକୁଥାଉ ବାହାକୁ ଯେ

ଲୋକଙ୍କୁ ଚାହିଁ ଛାତି ଫୁଲାଇ             କହୁ ତ ଥାଉ ମୁଖ ହଲାଇ

ଦେଖିବା ଦେଖି କେଡ଼େ ଟାଣ ତୋ ମନ ଲୁହାକୁ ଯେ ।୨୨।

 

ଏ ରୂପେ କଲେ ଖାତରନିଶା             ସୁଧାକର ତ ସିନା ଏ ଭାଷା

ମରମକଟା ଯଉଁ ପ୍ରଶଂସା ଜୀବନ ଆଶା ଯେ

ଛାଡ଼ି ସକଳ କଲେ ହେମନ୍ତ             ଜଗି ରହିଲେ ଯହୁଁ ଯେମନ୍ତେ

ବିଚାର କଲେ ନୋହିବା ଭାଇ ଏ ଲୋକହସା ଯେ

ସରଦାର ଯହିଁରେ ଆପେ ନୃପତି ହେ

ମନ କଅଁଳ ହେଲା ପଥର ମତି ଯେ

କି ଦିନ ରାତି ଆଠ ପହର             ବାନ୍ଧି ରହିଲେ ଲୋକ କମର

ମୀନକୁ ବକ ଜଗିଲା ପରି ଜଗିଥାଆନ୍ତି ଯେ ।୨୩।

 

ଯେହୁ ମାଗିଲା ଯଉଁ ଆହାର             ଆଗ୍ୟାଁ ପ୍ରମାଣେ ଦେଲେ ସତ୍ଵର

ପାଇକ ଲୋକେ ପାଇଲେ ପୁଣି ଯାଉଁଳି ପଡ଼ି ଯେ

ଡାଲି କଦଳୀ ବଡ଼ି ଆଚାର             ଘୃତ ନବାତ ଦଧି ଶାକର

ଯହିଁ ଯାହାର ମନ ବଳିଲା ନେଲା ସେ ଲୋଡ଼ି ଯେ

ଅନରୂପରେ ଦେଲେ ଗୁଳି ବାରଦ ଯେ

ଚାରିପାଶେ ନାଗରା ଟମକନାଦ ଯେ

ଆର ଛାନ୍ଦରେ ବର୍ଣ୍ଣିବା ପୁଣି             ଯେମନ୍ତେ ହେଲା ଯୁଦ୍ଧ କାହାଣୀ

ବ୍ରଜନାଥର ଭରସା କୃଷ୍ଣ କମଳପାଦ ଯେ ।୨୪।

 

୨୩।ଖାତରନିଶା—( ପାର୍ଶି)ଆତ୍ମସନ୍ତୋଷ । satisfaction of mind regarding……..(Molesworth’s Marhatti—English Dictionary ) --ରାଜା ସମସ୍ତ ପର୍ଯ୍ୟବେକ୍ଷଣ କରି ସୈନ୍ୟମାନଙ୍କର ଆତ୍ମବିଶ୍ଵାସ ଜନ୍ମାଇଲେ ।

 

ତୃତୀୟ ଛାନ୍ଦ

ରାଗ - ଚକ୍ରକେଳୀ

 

ଶୁଣ ସାଧୁଜନ ତୋଷ ଚିତ୍ତରେ

ଏବେ ସମର ହେଲା ଯେମନ୍ତରେ ।।

ଗଡ଼ ପାଶରେ ଫଉଜ ପଡ଼ିଲେ

କେହି ଲଢ଼ିବା ଏ ବିଚାର କଲେ ।।

ବାଣ୍ଟି ହୋଇଲେ ଚାରି ମୁକା ହେଇ

ଚାରି ଦିଗରେ ବାହାରିଲେ ଯାଇଁ ।।

ଘେନି କିଷ୍ଟମରାଜକୁ ସଙ୍ଗରେ

ଚଇତନ ଦାସ ଚଳେ ଅରାରେ ।।

ଅରା କଟାଇ ସେ ବାଟ ଛଡ଼ାଇ

ତେଲେଙ୍ଗାଙ୍କୁ ଘେନିଗଲା କଢ଼ାଇ ।।

ଏଣେ ସାରା ଲସକର ତିଆର

ଆପେ ଚେପଣା ବାବୁଏ ବାହାର ।।

ମଡ଼ା ଦେଉଳ ଆଡ଼ରେ ଚଢ଼ାଉ

ଶୁଭେ ନାଗରା ଧି ଧି ଧାଉ ଧାଉ ।।

ପାଉଁ ପିଆଦା ଢାଲ ତରୁଅର

ବାହାରିଲେ ଦଶ ବିଶ ହଜାର ।।

ଆଠ ଦଶ ହଜାର ହେଲେ ସଜ

ଅତି ପ୍ରବଳ ସେ ବରକନ୍ଦାଜ ।।

ଘେନି ଢଙ୍କୁଣିଆମାନେ ଡଙ୍କୁଣ

ପାଞ୍ଚ ସାତ ହଜାର ଗଲେ ପୁଣ ।୧୦ ।।

ଗଡ଼ଦ୍ଵାର ସନମୁଖେ ଅପାର

ହେଲେ ବାହାର ବଛା ଅଶୁଆର ।।

ହାଥୀ ପଲପଲ କରି ଆଗରେ

ଚଳାଇଲେ ବନ୍ଧୁକ କାଣ୍ଡ ଡରେ ।।

ଗୁଳି ବାରଦ ଗଡ଼ିମାନ ଭରି

ଲଦା ବଳଦ ଲୋହେ ଲେଖାକରି ।।

ତୋପମାନ ଚଳାଇଲେ ପ୍ରବଳ

ଯୋଚା ମଇଁଷି ଦଶ ଆଠ ହଳ ।।

ଘେନି କମାଣ କନ୍ଧରେ ତୁଣୀର

କେତେ ତୀରନ୍ଦାଜ ହେଲେ ବାହାର ।।

ହାଥୀ ପରେ ଗଣ୍ଠିଆ ପେଟଚିରା

ଓଟ ଉପରେ ଜଜାଲ ଜମ୍ଭୁରା ।୧୬।

 

୨ । କେହି—କିପରି (ପ୍ରାଚୀନ ପ୍ରୟୋଗ ।୨ୟ ଛାନ୍ଦ ୧୧ ପଦ ଦେଖ) ।

୩ । ମୁକା—(ମୁଖ ଶବ୍ଦଜ) ଦଳ । a party under one ମୁଖ୍ୟ ।

୪ । କିଷ୍ଟମରାଜ –ଢେଙ୍କାନାଳ ଅଭିଯାନର ଜଣେ ବର୍ଗୀ ସରଦାର । ଚଇତନ ଦାସ—ଜଣେ ମଲ୍ଲ । ସେ ପ୍ରଥମେ ଢେଙ୍କାନାଳ ରାଜାଙ୍କ ଅଧୀନରେ କାର୍ଯ୍ୟ କରୁଥିଲା । ପରେ ମନାନ୍ତର ଘଟିବାରୁ ମରହଟ୍ଟାଙ୍କ ଅଧୀନରେ ଚାକିରି ନେଇ ଢେଙ୍କାନାଳର ବିରୁଦ୍ଧରେ ବର୍ଗୀମାନଙ୍କର ଗୁପ୍ତଚର ରୂପେ ତାଙ୍କ ସୈନ୍ୟ ସଙ୍ଗରେ ଢେଙ୍କାନାଳ ଭିତିରିଆ ସନ୍ଧାନ ଦେବାପାଇଁ ଆସିଥିଲା । ଅରା—(ଦେଶଜ) ଦୁର୍ଗକୁ ଘେରି ରହିଥିବା ଘନ ବାଉଁଶ ବଣ ।୭ । ମଡ଼ାଦେଉଳ—ଢେଙ୍କାନାଳ ରାଜବଂଶର ସମାଧିସ୍ଥଳୀ ।୧୬ । ଗଣ୍ଠିଆ, ପେଟଚିରା—ବିଭିନ୍ନ ପ୍ରକାରର କ୍ଷୁଦ୍ର ତୋପ (୧ମ ଛାନ୍ଦ ୨୯ ପଦ ଦେଖ)

 

ଆଗେ ବାଣ ନିଶାଣକୁ ଚଳାଇ

ଯହିଁ ସଂସାର ଅନ୍ଧାର ଦିଶଇ            ।।

ତେଣେ ତେଲେଙ୍ଗା ବଳଙ୍କ ସଙ୍ଗରେ

ଚଇତନ ଦାସ ଫୁଟି ଅରାରେ            ।।

ଅଧ ଅରାରେ ହେଲେନି ବାହାର

ଏହି ସମୟେ ହୋଇଲା ଗୋଚର ।।

ଶଏ ପଞ୍ଚାଶଜଣ ଥିଲେ ଜଗି

ଆଗେ ଆଖେନ୍ଦ ନଳୀ ଦେଲେ ଦାଗି ।।

ବାଲିବନ୍ଧ କି ସମ୍ଭାଳେ ସରିତ

ଟେକା ମାଇଲେ କି ଭାଙ୍ଗେ ପର୍ବତ       ।।

ସିନ୍ଧୁ ପ୍ରାୟେତ ଘୋଟି ଆସୁଛନ୍ତି

ତାଙ୍କ ବେଳେ କି ଅଟକି ହୁଅନ୍ତି      ।।

ପେଲି ପ୍ରବଳେ ଆଗସରି ଗଲେ

ଯାଇଁ ଲୋକେ ହଜୁରେ ଜଣାଇଲେ       ।।

ଅରା ଫୁଟିଲେ ବରଗୀ ମଣିମା

କେତେ ଫଉଜ କେ ଅବା ଗଣିମା      ।।

ଭୋଇ ସାଇରୁ ଅଇଲେଣି ବଳୀ

ଆମ୍ଭେ ନ ପାରିଲୁ ଆଉ ସମ୍ଭାଳି       ।୨୫।

ଏହା ଶୁଣି ଆଜ୍ଞା କଲେ ରାଜନ

ଦେଖି ଆମ୍ଭ ଲୋକେ ଯାଅ ବହନ      ।।

ତୁମ୍ଭେ ଅଟକିଥାଅ ମାତ୍ର ଯାଇଁ

ଆମ୍ଭେ ପଛେ ପଛେ ଯାଉ ଅଛାଇଁ      ।।

ଶୁଣି ଶୂର ବୀର ଲୋକେ ବାହାର

ଧରି ଧାଇଁଲେ ଯେଝା ହଥିଆର      ।।

ଚୋଟ ରଡ଼ିରେ ଶୁଭୁନାହିଁ କିଛି

ଗୁଳି ବରଷା କେବଳ ହୋଉଛି      ।।

ବୃକ୍ଷମାନଙ୍କର ନାହିଁ ପତର

ଫାଟି ଯାଉଅଛି କାଠ ପଥର            ।।

ଦାଗି ବନ୍ଧୁକ ହଜାର ହଜାର

ଦଶଦିଶ କରନ୍ତି ଅନ୍ଧକାର            ।।

ପେଲି ଆସୁଛନ୍ତି ସେହି ଧୁଆଁ ରେ

ଯାଇଁ ମିଳିଲେ ବୀର ସରଦାରେ      ।।

ଦୁଇବଳଙ୍କର ମେଣ୍ଢ ପଡ଼ିଲା

ଅତି ପ୍ରବଳ ଲଢ଼ାଇ ଲାଗିଲା            ।।

ଜଣଜଣଙ୍କୁ ଘେର ବନ୍ଦି କରି

ଢଙ୍କୁଣିଆ ବେଢ଼ିଲେ ତିନିଚାରି            ।।

ଆଡ଼ି ହାଣି ରହିଥିଲେ ସମ୍ଭାଳି

ପଶିଗଲା ମରମ ଥାନେ ଗୁଳି            ।।

ଜୀବ ଯିବାଯାଏ ନୋହି ନିସତ

ପିଟୁଅଛି କାହାର ଖଣ୍ଡା ହାଥ            ।।

ଜଣଜଣକେ ସେ ଦ୍ରୋଣ ସମାନେ

ରଣ ଯାଗ କଲେ ଅତି ସୁମନେ      ।।

ଗୁଳି ଗଳିଗଲାନି କା ହୃଦର

ତେବେ ଡାକୁଛି ଭାଇ ମାର ମାର      ।।

ଚୋଟ ବସିଲାନି କାହା ମୁଖରେ

ଖଣ୍ଡା ହାଥ ସେ ବିଞ୍ଚୁଛି ପ୍ରଖରେ      ।।

କାହା ଗୋଡ଼ ଭାଙ୍ଗି ପଡ଼େ ଧରଣୀ

ଯାଇଁ ଘୁଷୁରି ମିଶୁଅଛି ହାଣି ।୪୦।

ଗୁଳି ଉପରେ ତ ଗୁଳି ବାଜିଲା

ତେଣୁ ପ୍ରାଣ ପ୍ରୟାଣ ହୋଇଗଲା      ।।

ବିଜେ ରାଜା ମହୀନ୍ଦ୍ର ବାହାଦୂର

ତେଲେଙ୍ଗାଏ ଅଛନ୍ତି ଗହଣର            ।।

ପାଣି ସିନା କାଟିପାରେ ପାଣିକି

ଜାତି ସେହି ରୂପେ କାଟେ ଜାତିକି      ।।

୨୨ । ତାଙ୍କ ବେଳେ କି ଅଟକି ହୁଅନ୍ତି—ତାଙ୍କର ବେଳ ପଡ଼ିଥିବାବେଳେ ଅର୍ଥାତ୍‌ତାଙ୍କର ଯେତେବେଳେ ସୁଯୋଗ ପଡ଼ିଛି—ପ୍ରଖର ଗତିରେ ମାଡ଼ି ଆସୁଛନ୍ତି, ତେତେବେଳେ ତାଙ୍କୁ କି ଅଟକା ଯାଇପାରେ ?

୨୭ । ଅଟକି ଥାଅ—ଅଟକାଇ ଥାଅ (ପଦ୍ୟରେ ପ୍ରୟୋଗ) ।

 

ଦେବତାଙ୍କ ରୀତି ଦେବେ ଜାଣନ୍ତି

ଅସୁରଙ୍କ ମାୟା ଦୈତ୍ୟ ବୁଝନ୍ତି      ।।

ଦୁଇବଳ ହୋଇଲେ ମିଶାମିଶି

ଷଣ୍ଢେ ଷଣ୍ଢେ କି ମେଣ୍ଢ ହେଲେ ଆସି ।।

ଆଡ଼ି ଭୁଷି ଢଙ୍କୁଣଙ୍କୁ ଢଙ୍କୁଣ

ତଡ଼ି ଛାଡ଼ି ଦିଅନ୍ତି ନେଇ ପୁଣ            ।।

ଫିଟି ଫିଟି ଛିଟିକାଇ ଭୁଷନ୍ତି

କଟି ପାରି ଆଣ୍ଠୁଆଇ ବସନ୍ତି            ।।

ଯୋଖି ରଖିଥାନ୍ତି ଆଖି ଆଖିରେ

ଦେଖି ଦେଖି କେ ଡାକିହାକି ମାରେ       ।।

ଲାଖି ପଡ଼େ କାହା ହୃଦେ ଢଙ୍କୁଣ

ଆଖିବାଟେ ଛାଡ଼ିଯାଏ ପରାଣ      ।।

କେହୁ ଦୋରା ଦୋରା ବୋଲି ଡ଼ାକିଲା

ଡେଇଁ ଢଙ୍କୁଣ ମହୀରେ ଠୁକିଲା ।୫୦।

ଆଡ଼େ ତେରଛି ଭୁଷିଦେଲା ନେଇ

ଫୁଟି କଙ୍କାଳ ପଡ଼ିଗଲା ମହୀ            ।।

କୃପାକଲେ ପ୍ରଭୁ ଚନ୍ଦ୍ରଶେଖର

ଲୋକେ ବଳି ମାଇଲେ ରାଜାଙ୍କର      ।।

ଯାହା ପ୍ରବଳ ହୋଇ ଆସୁଥିଲେ

ଆଉ ନ ପଶି ଅଟକି ପଡ଼ିଲେ            ।।

ତିନି ପରସ୍ତ ହୋଇଗଲେ ରହି

ତଡ଼ତଡ଼ ଆଗ ନଳୀ ଫିଟଇ            ।।

ପୁଣି ମଝିଲୋକ ଆଗ ହୁଅନ୍ତି

ସେହିଲାଗେ ଧରି ଦାଗି ଦିଅନ୍ତି      ।।

ଆଗ ଲୋକେ ପୁଣି ଚୋଟ ପକାଇ

ବେଗେ ହାଜର ହୋଇଥାନ୍ତି ଯାଇ      ।।

ଦଣ୍ଡେ ମାତ୍ରକ ନ କରି ବିଶ୍ରାମ

କଲେ ଦେବଙ୍କୁ ଦୁର୍ଲଭ ସଂଗ୍ରାମ      ।।

ଗୁଳି ଗୋଟିଏ ନ ପଡ଼େ ତଳରେ

ଯାଇ ବସଇ କାହା କପାଳରେ      ।।

କାହା ଛାତିରେ କଙ୍କାଳେ ବାହାରି

ପେଟ ଅବା ଫୁଟିଯାଏ କାହାରି       ।୬୦।

କଉଁ ଲୋକର ତଣ୍ଟି ଯାଏ ଫୁଟି

ଭାଙ୍ଗି ପକାଏ କାହାରି ଛକାଠି      ।।

ଯାଇଁ ବାଜଇ କାହାର ଛାତିରେ

ଛାଡ଼ି ବନ୍ଦୁକ ଭାଗେ ସେ ଅଥିରେ       ।।

ଭାଙ୍ଗି ପକାଏ କାହା ଜାନୁ ହାଡ଼

ସେ ଯେ ଘୋଷରେ ହୋଇ ନଇବଡ଼       ।।

କାହା ଥାନମୃଦୁରାରେ ହାବୋଡ଼େ

ଫୁଲ ପରାଏ ସେହି ଝଡ଼ିପଡ଼େ      ।।

କାହା ବଦନେ ତେରଛି ବାଜିଲା

ଦନ୍ତ ପାଟିରୁ ଫାଳେ ଘେନିଗଲା       ।।

ଥୁ ଥୁ କରି ପକାଏ ସେ ରକତ

କଥା କହିବାକୁ ନୋହେ ଶକତ      ।।

ବେଳ ବେଳକେ ପନ୍ଦର ସତର

କଉଁ ଉଆଁରେ ଲୋଥ ବାର ତେର      ।।

କଉଁଥର ଆଠ ଦଶ ଝଡ଼ନ୍ତି

କଉଁ ଉଆରେ ପଞ୍ଚିଶ ପଡ଼ନ୍ତି            ।।

ତେଡ଼େ ଫଉଜ କିଷ୍ଟମ ରାଜର

ପଡ଼ିଗଲେ ଲୋଥ ନୋହେ ସୁମାର      ।।

ଯେବା ବଞ୍ଚିଲା ଗଲା ଘାଆ ହୋଇ

ଖୁଣ ନୋହି ଗୋଟିଏ ମାତ୍ର ନାହିଁ      ।।

 

୫୦ । କେହୁ ଦୋରା ରା ରା ବୋଲି ଡ଼ାକଇ, ଡେଇଁ ଢଙ୍କୁଣ ମହୀରେ ଠୁକଇ (ପାଠାନ୍ତର)

୬୪ । ଥାନ ମୁଦୁରା—(ଦେଶଜ) ଆଖି ଓ କାନର ମଧ୍ୟବର୍ତ୍ତୀ ସ୍ଥାନ । ଏହା ଗୋଟିଏ ମର୍ମସ୍ଥାନ, ଏଠାରେ ସାମାନ୍ୟ ଆଘାତ ମଧ୍ୟ ଗୁରୁତର ।

୬୭ । ଉଆରେ—ବାରେ, ଥରକେ । ଲୋଥ—(ହିନ୍ଦୀ) ନିର୍ଜୀବ ଶରୀର, ମଡ଼ା ।

 

କୁଢ଼ କୁଢ଼ ମଡ଼ା ପଡ଼ି ଅଛନ୍ତି

ପଙ୍କ ହୋଇଲା ରକତରେ କ୍ଷିତି      ।।

ଯେବା ପଛେ ଆସୁଥିଲେ ଭାଜିଲେ

କେତେ ଢଙ୍କୁଣ ନଳୀ ଛାଡ଼ିଗଲେ      ।।

ପାଗ ମଥାରୁ ଛାଡ଼ି କେ ପଳାଏ

କେହୁ ବାଙ୍କୁ କଟାରୀ ଫିଙ୍ଗି ଧାଏଁ      ।।

କାହା ପାଶେ ରାଜା ଲୋକେ ମିଳନ୍ତେ

ରଖ ବୋଲି ତିରଣ ଧରି ଦାନ୍ତେ      ।।

କଉଁ ବୀର ତହିଁ ହାଥ ଚଳାଇ

ପ୍ରାଣ ଦେଲା ନିସତ ଆଉ ନୋହି       ।।

ଏହି ରୂପରେ ପହଡ଼େ ଲଢ଼ାଇ

ଶୂନ୍ୟେ ଉଡ଼ି ନ ପାରିଲେ ଚଢ଼ାଇ      ।।

ଦିଗ ନ ଦିଶିଲା ଧୂଆଁ ହେବାରେ

ନିଶି ଭରମ ହୋଇଲା ଦିବାରେ      ।।

ବ୍ୟାଘ୍ର ମୃଗ ଆଦି ଗଲେ ପଳାଇ

ଭୟେ ଦୂରରେ ସେ ରହିଲେ ଯାଇଁ      ।।

ପୂର୍ବେ ଲଙ୍କା ଲଢ଼ାଇ ଯା ଗୀତରେ

ଶୁଣୁଥାଇଁ ଏବେ ସେହି ମତରେ      ।।

ଗଲା ରକତ ନଦୀ ପ୍ରାୟ ବହି

ଗିରିପ୍ରାଏ ମଡ଼ା ପଡ଼ି ଦିଶଇ        ।୮୦।

ଦେଖାଗଲା ନାଚିବାର କବନ୍ଧ

ଥାଉଁ ଥାଉଁ ନୟନ ହେଲା ଅନ୍ଧ      ।।

ଯହୁଁ ବରଗୀ ହାରି ପଳାଇଲେ

ଜୟ କରି ରାଜନ ଲେଉଟିଲେ       ।।

ଏଣେ ମୁରୁଚାରେ ଗୁଣ୍ଡ ଦାଗନ୍ତେ

ଉଡ଼ିଗଲେ ଫଉଜ ଅବା କେତେ      ।।

ଉଡ଼ିଗଲେ ବା କେତେ ଘୋଡ଼ା ଘୋଡ଼ୀ,

କେତେ ତମ୍ବୁ କନାଟ ନେଲା ତଡ଼ି      ।।

ଗୋଳା ଗୋଟିକେ ଦଶ ବିଂଶ ଯହିଁ

ଉଡ଼ି ଯାଆନ୍ତି ତୁଳା ପ୍ରାୟ ହୋଇ      ।।

ସାରା ଫଉଜେ ପଡ଼ିଗଲା ହାଲ

ସବୁଠାରେ ଘାଉଆ ପଲପଲ            ।।

କେତେ ମଲେ ସେ ହେଲାନାହିଁ

କଳି ଯହିଁ ଦେଖିବ ଡକା ହାଲହୋଳି      ।।

ଗୁଳା ଦାଉରେ ସେଠାରେ ନ ରହି

କୋଶେ ଘୁଞ୍ଚି ପଡ଼ିଲେ ସୈନ୍ୟ ଯାଇଁ       ।।

କେହୁ ବୋଲଇ ହେଲା କି କରମ

ଏତେ ଅନର୍ଥ କଲା ରାଜାରାମ      ।।

କେହୁ କାନ୍ଦି ବୋଲେ ମଞ୍ଜୁ କି କଲା

ଢେଙ୍କାନାଳରେ ବଂଶ ବୁଡ଼ାଇଲା       ।୯୦।

କେ ବୋଲଇ ହାହାରେ ବେଟା ମେରା,

କୈସେ ଗୁନ୍‌ବିସୋରୁଁ ମୈଁ ତେରା      ।।

କେହୁ କାନ୍ଦଇ ହାହା ମେରା ଭାୟା

କ୍ୟା ଗୁନାହ ମୁଝକୋ ଛୋଡ଼ ଗେୟା       ।।

କେହୁ ବୋଲେ ହା ବେଟୀ ମେରା ଛୋଟୀ

ହାହା ହମାଦ୍ ଭୟା ଶିର କାଟୀ      ।।

କେ ବୋଲେ ହଜାର ରୂପେୟା ଘୋଡ଼ୀ,

ଗେୟା ମେରା ତୋପକିମାରେ ଉଡ଼ି      ।।

କେ ବୋଲଇ କେଆ କିୟା ଖୁଦାଇ

ତଲା ଫୁଟି ଯୋ ଗୀରା ମେରା ଭାଇ       ।।

 

୮୬ । ହାଲ - ହାଲହୋଳି - ଡକା ବୋବାଳି ।

୯୨ । ଗୁନାହ - (ପାର୍ଶିଆନ) ଅପରାଧ । ଓଡ଼ିଆରେ ବ୍ୟବହୃତ ‘ଗୁଣଗାରି’ - ଜରିମାନା, fine ,ଏହି ଶବ୍ଦରୁ ବାହାରିଅଛି ।

୯୫ । ତଲା—(ହିନ୍ଦୀ) ଛାତି ।

କେ ବୋଲଇ ଘାଇଲ ହୁଆ ହାଥୀ

ଗୁଲା ଲଗ୍‌ଗା ପାଓମୁ ଜାତି ଜାତି      ।।

କେହୁ ଛାତିପରେ କର ଠୁକଇ

‘ହ ହା ମେରା ବାବା’ ବୋଲି ଡାକଇ      ।।

କେହୁ ଭୂମିରେ ପଡ଼େ ହାହାକରି

କେହୁ ପାଦୁଁ କାଣ୍ଡ ଫଳ ଉତାରି      ।।

କାହିଁ କାହାକୁ ଖୁଆନ୍ତି ମାଜମ

ଗୁଳି କାଢ଼ନ୍ତେ ଯାଉଅଛି ଝାମ            ।।

କେହୁ ଶ୍ଵଶୁରକୁ ମାଟି ଦେଉଛି

କେହୁ ମଉଳାକୁ ନେଇ ଦହୁଛି ।୧୦୦।

କେହୁ କାଣ୍ଡ କାଢ଼ି ଘାଆ ସିଅଇଁ

କାହା ଘାଆ ରକତ ନ ରହଇ            ।।

ଏହିରୂପେ ସର୍ବ ଲୋକେ ଆକୁଳ

ଯହିଁ ଚାହିଁବ ନେତ୍ରେ ଅଶ୍ରୁଜଳ            ।।

ବସି ପାଞ୍ଚନ୍ତି ଠଠାରି ବଜାରୀ

ଆଜି ରାତି ସବୁଙ୍କୁ ନେବେ ମାରି      ।।

କେ ବୋଲଇ ମୁଁ ଶୁଣିଲି ଭାଇରେ

ଏହି ଲଟାକାନ୍ଥେ ଛନ୍ତି ରହିରେ      ।।

ନଳୀ କାଣ୍ଡ ଧନୁ କରେ ତାଙ୍କର

ଛାପି ପଡ଼ିଛନ୍ତି ପାଞ୍ଚ ହାଜର            ।।

ଜହ୍ନ ବୁଡ଼ ସରିକି ସେ ମିଶିବେ

ଆଜ ଗୋଟିକଠାରୁ ଦାଇ ନେବେ      ।।

କେ ବୋଲଇ ରୂପିୟା ନେବାପାଇଁ

ଜାଣି ମରିବାକୁ ଆସି ଅଛାଇଁ            ।।

ରାଜାରାମର ଝାଡ଼ିନେଲା କନା

ପ୍ରାଣଦାନହିଁ ବୁଝିଦେଲା ସିନା ।୧୧୦।

ଏଡ଼େ ଜଙ୍ଘୀତ କାହି ନାହିଁ ରାଜା

ଯିବ ଚେମଣା ବାବୁ ପାଇ ମଜା      ।।

କେତେ ଏହିମତି କେ ତା କହିବ

କହିଲେ ତ ଲଙ୍କା ପୋଥି ହୋଇବ      ।।

ଆର ଛାନ୍ଦେ ପୁଣି କିଛି ଚରିତ

ଗୀତେ କହିବ କବି ବ୍ରଜନାଥ            ।।

------------

୯୯ । ମାଜମ—(ଆରବିକ) an inebriating preparation of bhang with sugar and spices formed into cose (Molesworth) ଗଞ୍ଜେଇ ଚୁର୍ଣ୍ଣ ସହିତ ଚିନି ଓ ମସଲା ମିଶାଇ ତିଆରି ମୋଦକ ।

୧୦୮ । ଦାଇନେବେ—ହାଣି କାଟି ପକାଇବେ । will reap down .

 

ଚତୁର୍ଥ ଛାନ୍ଦ

ରାଗ - ଆହାରୀ

 

ଏମନ୍ତେ ରସିକ ଅତି କଉତୁକ ଚରିତ       କହୁଛାଇଁ ଶୁଣ

ଦାଗିଲେ ବରଗୀ ଗଡ଼ଦ୍ଵାରେ ଲାଗି-ବାକୁ       କେତେମତେ କମାଣ

କେ ଗୁଳା ,       କବାଟରେ ଯାଇଁ             ଲାଗିଲା

କଉଁ ଗୁଳା ଭାଡ଼ି- ପଟା ନେଇ ତଡ଼ି             ପଡ଼ି କେତେ ଗଛ ଭାଙ୍ଗିଲା ।୧।

 

କଉଁ ତୋପ ଫିଟି ଘେନିଗଲା ଚାଟି ଗୋଡ଼ା       ଦୁଇ ଚାରି ଗୋଟାକୁ

ଉପରେ ଉପରେ ଚାଲି କଉଁ ଗୁଳା       ଗରଜାଇ ଦେଲା ଲଟାକୁ

କେ ବାଜି,       ଭାଙ୍ଗି ପକାଇଲା             ପଥରେ

କଉଁ ଗୁଳା ଏଡ଼େ        ଧାପ ଦେଇଛି ଯେ       ଚାଲି ହୋଉନାହିଁ ପଥରେ ।୨।

 

କେ ଗୁଳା ବାଜିଲା ମୁଣ୍ଡ ଘେନିଗଲା ଭାଡ଼ି ଉପରେ ଭାଡ଼ିଆର

କଉଁ ଗୁଳା ଆସି ପଶିଯାନ୍ତେ ଲସି ଗଲା ତେଡ଼େବଡ଼ ଦୁଆର

ଏ ରୁପେ ,             ଦାଗିଲେ       ଅନେକ କମାଣ

କେ ଅବା ବାଜିଲା କେବା ଉଡ଼ିଗଲା ଭଏ ପାଇଲେ ପାଇକାଣ ।୩।

 

ଚତୁର ମଣି ଶି- ରୋମଣି ନୃମଣି       ପ୍ରତି ମୁରୁଚା ବୁଲି ଯାଇଁ

ଏମନ୍ତେ ଅନୁମା- ନ କରି ବସାଇ ତୋପମାନ ଦେଲେ ଦଗାଇ

ଗୋଟିଏ, ଗୁଳା ନ ପଡ଼ିଲା ତଳକୁ

ବାଜି ଦଶବିଂଶ ଲୋକ କରି ନାଶ ମନ୍ଥିଦେଲା ତେଡ଼େ ବଳକୁ ।୪।

 

ନାନା ନଟ କୁଟ  ଛଟପଟ ହଟ             ଉପାଏ କଲେ ତାହାଙ୍କର

ଶୃଙ୍ଗ ଖୋଳା ଲୋକ ଅଙ୍ଗ ଦିଶେ ଯେବେ       ଗୁଳି ବାଜଇ ତତପର

 

୨। ଗୋତା - (ଦେଶକ) ପଥର ଦ୍ୱାର ଭରତି କରାଯାଇଥିବା ବାଉଁଶ ତିଆରି ସରୁ ସରୁ ଗୋରଡ଼ା । ଗଡ଼ କାନ୍ଥି ବାହାରେ ଦୁର୍ଗର ଦୃଢତା ବୃଦ୍ଧି ପାଇଁ (for protection of the fort walls ) ବସାଯାଇଥାଏ ।

୩। ପାଇକାଣ - ପାଇକମାନେ । ଓଡ଼ିଆ ଭାଷା ଉପରେ ହିନ୍ଦୀ ଭାଷାର ପ୍ରଭାବ, ଯଥା—ବିରାଦରାନ ।

୫। ଶୃଙ୍ଗ ଖୋଳା ଲୋକ- ଲୁଚି ରହିବାପାଇଁ ଖାତ ଖୋଳୁଥିବା ଲୋକ । ସୁଡ଼ଙ୍ଗ ଖୋଳୁଥିବା ଲୋକ -men employed in digging out trenches.

 

ମୁରୁଚା, ବନାଇବେ ଅବା କି କରି

ଯହିଁ ଦିଶେ ମୁଣ୍ଡ ବଦି ସେହିଠାକୁ ଗୁଳି ମାରନ୍ତି ଯୋଖିଧରି ।୫।

 

ଅଲା କରବାକୁ ଭଲା ବିଚାରି ସେ ଚଲାଇ ଆସନ୍ତେ ସାହାସେ

ଶଅ ଶଅ ହୋଇ ଜମ୍ଵୁରା ଫିଟାଇ କି ମଡ଼ା ଗୋଟିଇବେ ସେ

ଜଳକା , ଦେଖିଲେ ହୁଅନ୍ତି ଜଳୀକି

ନଳୀକି ଦାଗି ଦେ - ଲା ବେଳେ ନୃପତି ସଭିଙ୍କି ଲାଗଇ ଭେଳିକି ।୬।

 

ଯେଣେ ବାହାରିଲେ ଜଣେ ହେଲେ କାଣ୍ଡ ଗୁଳି ବାଜି ପଡ଼ି ମରଇ

ହଗି ଗଲାବେଳେ ଜଗି ବସିଥାନ୍ତି ସାଞ୍ଜ ସାବେଳୀ କରେ ନେଇ

ଦିଶିଲେ, ଗଛ ବୁଦା ତାଙ୍କୁ ଚୁହାଡ

ଗାଧୋଇଲା ଠାରେ ଧରିଥାନ୍ତି ଡରେ ଲୁହା ଠେଙ୍ଗା ଭାଲ ଦୁଆଡ଼ ।୭।

 

ଏହିରୂପେ ବନ୍ଦୀ ନୋହି ତେଡେ଼ ବଡ଼ ଫଉଜ ପଡ଼ିଗଲେ ବନ୍ଦୀ

ଭବାନୀ କାଳକୁ କେ ରାଜାରାମକୁ ଚଉଧୁରୀ କି କେ ନିନ୍ଦି

ଚେମଣା, ବାବୁ ବିରସ ମନ ହୋଇ

ଏରୂପେ ବଡ଼ ନି - ରାଶରେ କହିଲେ ସବୁ ସରଦାରେ ଡକାଇ ।୮।

 

ଖୋରଠା ଭାଷା

 

ଅବ ସବ ସରଦାର ବିଚାରୋ

ଏକଠୋ ରଗଡ଼ ହାଥ ନ ଆୟା ଭଲେ ଭଲେ ତୁମ୍ ୟାରୋ

ଢାଲ ଢ଼ାଲ ଭର ପୈସା ଲେକେ କୋଇ ଅବ୍ ମାରଦୋ କିଲ୍ଲା,

ଥୋଡ଼ା ଗଡ଼ ଟୁକ୍ ଲଡ଼ନେ ନହିଁ କ୍ୟା କରୁଁ ଯାକେ ବଙ୍ଗଲା ।୧।

 

୫। ବନ୍ଦି - ଅନ୍ଦାଜ କରି, ଲକ୍ଷ୍ୟ କରି ।

୬। ଅଲା କରିବାକୁ - ଆରବିକ –ଅଲାଇ -(any wide display) ବାଦଶାହୀ ଢଙ୍ଗରେ ବାହ୍ୟାଡମ୍ଵର ପ୍ରଦର୍ଶନ କରିବାକୁ, ବହୁ ସୈନ୍ୟମାନଙ୍କୁ ଏକାବେଳକେ ଅଗ୍ରସର କରାଇବା ପାଇଁ ।

୭। ଚୁହାଡ଼- ବଣୁଆ ଜାତିର ଲୋକ । ଦୁଆଡ଼- (ସଂ-ଉଦ୍ଦଣ୍ଡ ଶବ୍ଦଜ )ଊର୍ଦ୍ଧ୍ଵଦଣ୍ଡ, ଡେଙ୍ଗା ଠେଙ୍ଗା । ବର ଓହଳରେ ତିଆରି ଲମ୍ଵା ଠେଙ୍ଗାକୁ ଗଡ଼ଜାତରେ ଦୁଆଡ଼ କୁହାଯାଏ

୮। ଭବାନୀ କାଳ -ଭବାନୀ କାଲୋ ପଣ୍ଡିତ । ଓଡିଶାର ତତ୍‌କାଳୀନ ଜଣେ ଉଚ୍ଚ ମରହଟ୍ଟା କର୍ମଚାରୀ ।

୯। ଚୌଧୁରୀ -ଶେଠ ମଞ୍ଜୁ ଚୌଧୁରୀ ।

୧୦। ରଗଡି । ଛୋଟ ପାହାଡ, ସୁତରାଂ ଛୋଟ ପହାଡ଼ିଆ ଗଡ଼ ମାତ୍ର । ୟାରୋ-ଦୋସ୍ତମାନେ , ମିତ୍ରମାନେ । ଟୁକ୍ ଲଡ଼ନେ ନାହିଁ ଟିକିଏ ମାତ୍ର ନଡ଼ୁ ନାହିଁ, ହଲୁନାହି ।

 

ଲଖ ଫଉଜ ଅବ୍ ସାଥ ହୈଁ ମେରା କେତା ହାଥିନୀ ଘୋଡ଼ା

ରାଜା ମୁଝେ କ୍ୟା କହେଗା କାମ ନହିଁ ବଡ଼ି ଥୋଡ଼ା ।୨।

 

ଯାତେ ଯାତେ କେତା କିଲ୍ଲା ଲିଆ ତୋପକୀ ମାରେ ,

ବିଶ ବିଶ ରୋଜ ସଡ଼ଗଇ ପଡକେ କ୍ୟା କହୁଁ ଭୈୟା ତୁହ୍ମାରେ ।୩।

 

ନିକଲେ ସବ୍ ତୁମ୍ ପାଓଁ ଉଠାକେ ମାରନେକୋ କଲକତ୍ତା,

ଜୋର ନ ପାଏ ଉଠାଓନେ ଢେଲା ପାହାଡ ତୋଡ଼ ମମତା ।୪।

 

ମୁଛ ଦାଢିପର ହାଥ ରଖୋ ମତ୍ କୁଛ କାମ ନହିଁ କିୟା,

ବାତ ଶୁନି ବ୍ରଜନାଥ କହେ ଲୋକ ଜଲ୍ ଗିୟା ।୫।

-----******-----

 

ସରଦାର ମାନେ, ନିଷ୍ଠୁର ବଚନେ, କମ୍ପିଲେ ପନ୍ନଗ ପରାଇ

ବୋଇଲେ ‘ଶୁନୋ ରାଜା ତୁମ କହୋ ଯୋ ହମାରା ଗୁନାହ କୈସେ ଭଇ

ବ୍ରହ୍ମଣା, ରାଜାରାମ ସବ୍ ଡୁବାୟା

କ୍ୟା କାମ ବଦା କିୟାହୁଁ ରାଜା ସାରା ଫଉଜ ଝୁକ୍ ଦିୟା ।୬।

ସବ୍ ଦୁନିଓଁ ମେ ଖୁଦାଇ ତୁମ୍ ହି ହୋ ତୁହ୍ମାରି ପର ହେଁ ଖୁଦାଇ

ବିନା ଆଗ୍ ମେ ଆପ ଗୋସ୍‌ସା ଭଏଁ ଯୋ ନ ଫତେ ହୁଆ କାମ ଓ’ଇ

ହମ୍ ହି ଯୋ , ତୁହ୍ମାରେ ତାଇଁ ଶିର ବେଚା

ବଡ଼ି ଭୋରସେ କାମ ଦେଖୋ ହମାରା ଖଡ଼େ ପାଓ ଲେଉଁ ମୁରଚା’ ।୭।

 

ଏମନ୍ତ କହି ସ- ରଦାରେ ମଜୁରା କରି ବାହାରିଲେ ବସାକୁ

ପହଡ଼େ ରାତି ଥା- ଉଁ ଅଣ୍ଟା ବାନ୍ଧିବେ ମୂଳ କରି ଏମହି ଭାଷାକୁ

ଭବାନୀ, ଖାଳୁ ମନ୍ତ୍ରୀବର ତହିଁରେ

ବିଚାରେ କାର୍ଯ୍ୟହିଁ କିଛି ହେବ ନାହିଁ ମାତ୍ର ମରିବେ ସରଦାରେ ।୮।

 

୪। ନିକଲେ----ପାହାଡ଼ ତୋଡ଼ା ମମତା - ମୂଳରୁ ଏହି ବୃହତ୍ ମରହଟ୍ଟା ସୈନ୍ୟଦଳ ବଙ୍ଗ ଆକ୍ରମଣ ପାଇଁ ଉଦ୍ଦିଷ୍ଟ ହୋଇଥିଲା । ପଥରେ ମାତ୍ର ଓଡିଶାର ସୁବାଦାର ରାଜାରାମଙ୍କ ଅନୁରୋଧରେ ପ୍ରଥମେ ସେମାନଙ୍କୁ ଢେଙ୍କାନାଳକୁ ଯବତ କରିବା ପାଇଁ ପଠାଗଲା । ତେଣୁ ଚିମନାଜୀ କହିଲେ, ସମସ୍ତେ ତ ପାହାଡ଼ ସଦୃଶ କଲିକତା ଦଖଲ କରିବାକୁ ବାହାରିଲେ ମାତ୍ର ଢେଲା ଖଣ୍ଡେ ପରି କ୍ଷୁଦ୍ର ଢେଙ୍କାନାଳ ଗଡ଼କୁ ଦଖଲ କରିପାରୁନାହଁ ?

୬। ବ୍ରହ୍ମଣା- ବ୍ରାହ୍ମଣ । ବଦୀ- ବୁରା , ଖରାପ ।ଝୁକଦିୟା -ବଦନାମ କରିଦେଲା

।୭। ତୁହ୍ମାରେ ତାଇଁ- ତୁମ ପାଖରେ ।

---------------------------

ଏତ ରାଜପୁତ ରୋହିଲା ମୁଗଲ ବଘେଲ ଚୁହାଣ ପଠାଣ

ଗଡକୁ ପଶି ଝା-             ସିଯିବେ ସେ ଜଳି        ଲଙ୍ଘିବେ ନାହିଁ କେହି ପୁଣ

ମାରିବେ, ରାଜା ଖବରଦାର ବଡ଼

କେତେ ଲୋକ ମଲେ ଏବେହିଁ ମରିବେ        ମାତ୍ର ଛୁଟିବନାହିଁ ଗଡ଼ ।୯।

 

ଏମନ୍ତ ବିଚାରି ଦେଲେ ମନା କରି ସରଦାରଙ୍କୁ ଏହା କହି

ବିଚାରି ଲଢ଼ିଲେ       କାର୍ଯ୍ୟ ହେବ ସିନା ଲୋକ ମାରିବା କାହିଁପାଇଁ

ଦି’ଦିନ, ଆଉ ସବୁର ଥାଅ କରି

ଧର୍ମ ଧାଡ଼ିଆଙ୍କୁ ରାଜାଙ୍କଛାମୁଙ୍କୁ ପେଷିଲେ କହି ଏହିପରି ।୧୦।

 

‘ଏଡ଼େ ଅବିଚାର        କାହିଁକି ତୁମ୍ଭର ହାକିମଠାରେ ରିପୁଭାବ

ଏବେହିଁ ଆମ୍ଭ ଭା ଷା ମାନି ଦି’ ଦିନ ଗଡ଼ ତୁମ୍ଭର ଛାଡିଯିବ

କଲନି , ଏବେ ତୁମ୍ଭେ ଯେଉଁ ଲଢ଼ାଇ

ଆଜଯାଏ ଏହା             କେହି କରିନାହିଁ ରଖିଲ ଓଡିଶା ବଡ଼ାଇ ।୧୧।

 

ମୁଧାଜୀ ଆପଣ ଚଢ଼ିଛନ୍ତି ପୁଣ ଯିବ କି ଗଡ଼ ଫତେ ନୋହି

ସାବାସ ତୁମ୍ଭର ପାତିସାରେ ତର- ଓ୍ୟାର ବାନ୍ଧି କଲ ଲଢ଼ାଇ

ଆଜହିଁ, ଗଡୁଁ ଅନ୍ତର ହୋଇଯିବ

ଏମନ୍ତେ କାଲି ଫ - ଉଜ ଉଠିଯିବେ ହାକିମ ମରଜି ରହିବ’ ।୧୨।

 

ଶୁଣି ନରପତି ନ କରି ସମ୍ମତି ବୋଇଲେ ସେ ସିନା ଚତୁର

ବିଶ୍ଵାସି ଯେମନ୍ତ ଦଗା ଦିଅନ୍ତି ସେ ସେ ପାଠ ପଢ଼ା ଅଛି ମୋର

ନୀଳାଦ୍ରି, ଚନ୍ଦ୍ରମା କିରଣେ ପାତକ

ତମ କଲା ନାଶ ବ୍ରଜନାଥ ଦାସ ଘେନ ହେ ରସିକ ବିବେକ ।୧୩।

 

୧୦। ଧର୍ମ ଧାଡ଼ିଆ - ଧର୍ମଦୂତ । A messenger sent for settling the terms for a truce or compromise

୧୨। ମଧୁଜୀ - ନାଗପୁର ରାଜ ମୁଢ଼ୋଜୀ ଭୋଁସଲା ।ଚଢିଛନ୍ତି - ଚିଡ଼ିଛନ୍ତି, ରାଗିଛନ୍ତି; has rise in temper

୧୩। ବିଶ୍ଵାସି- ବିଶ୍ଵାସ ଜନ୍ନାଇ ।

 

ପଞ୍ଚମ ଛାନ୍ଦ

ରାମ- ଅଷାଢ଼ ଶୁକ୍ଲ

 

ଏଥି ଉତ୍ତାରୁ ଶୁଣ ହେ ସୁମତି

ଗଡ଼ ଛାଡ଼ିବା ଶୁଣି ନରପତି

ବିବେକ ପାତ୍ର ମନ୍ତ୍ରୀ ସରଦାର

ଦଳବେହେରା ଯେ ଉତ୍ତମ ନର

ସଭିଙ୍କି ହକାରି

ବୋଇଲେ କହ କହ ହେ ବିଚାରି ।୧।

କାହା ମନକୁ ଅସୁଛି କେମନ୍ତ

କଉଁ ବିଚାର କରିବା ନିୟତ

ଲଢ଼ିବା କି ଅବା ଛାଡ଼ିବା ଗଡ଼

ଦୁଇ କଥାରୁ କେ ବିଚାର ବଡ଼

ଶୁଣି ଏ ବଚନ

କହନ୍ତି ତହିଁ କେ ଶୁଣ ରାଜନ ।୨।

ଗୋସାଇଁଙ୍କ ପୂର୍ବସୁକୃତ ବଳ

ଅଖଣ୍ଡ ହୋଇଥିବାରୁ ପ୍ରବଳ

ମନେ ନ ଥିବା କଥାମାନ ହୋଇ

ବଇରି ଶିରେ ଚଡ଼କ ପଡ଼ଇ

ଏବେ ଯାହା ହେଲା

କାହା ମନରେ ଏ ପରତେ ଥିଲା ।୩।

ଯଉଁ ଲଢାଇ ହେଲା ନୃପମଣି

ଘେନିଲେ ଛାତି ହୋଇଯାଏ ପାଣି

ସିନ୍ଧୁକୁ ବାନ୍ଧି ରଖିଛ ଅଟକି

କାହା ବଳେ ଏ କର୍ମ ହୋଏ ନିକି

ଯା ନାଗରା ଘାତେ

ଡରେ ଥରହର ନୃପତି ଯେତେ ।୪।

 

୧। ପ୍ରାଚୀନ ଓଡ଼ିଆରେ ‘ବିବେକୀ’ ସ୍ଥଳରେ ‘ବିବେକ’ ର ବ୍ୟବହାର ହେଉଥିଲା। ବର୍ତ୍ତମାନ ସୁଦ୍ଧା ‘ସେ ବଡ଼ ବିବେକ ଲୋକ’ ଏହିପରି ବ୍ୟବହାର ଦେଖାଯାଏ।

ଅଠର ଦିନ ଗଲା ଏବେ ବହି

ଅଠର ହେଲେ ଲଢ଼ିଲଢ଼ି ସେହି

ଯଶ ତ ଫିଟି ଗଲାନି ସଂସାର

ଗଡ଼ୁଁ ଦିଦିନ ହେବା କି ଅନ୍ତର

ଶୁଣ ନରସାଇଁ

ଆଛା ବୋଲି ପୁଣି ଆନକୁ ଚାହିଁ ।୫।

---------------

ଅଠରଦିନ ଗଲା ଏବେ ବହି - ବର୍ଗୀଙ୍କ ଦ୍ଵାରା ଢେଙ୍କାନାଳ ଅବରୋଧ ଅଠରଦିନ ହୋଇଗଲାଣି । That the Dhenkanal garh was really in a state of siege by the Marhattas for 18 days is corroborated by the following description of poet Nilakantha of Keonjharprobably a junior contemporary of Brajanath, in his eulogistic work in favour of the Rajas of Keonjhar - Bhanja Mahodayam, where he describes that his patron Raja Balabhadra Bhanj of of Keonjhar had defeated Trilochan Mahindra Bahadur of Dhenkanal- hero of Samaratarang- whom the Marhattas could not conquer even after eighteen days siege of his capital fort-

ବୀରୋ ନାଗପୁରାଳୟୋ ନୃପକରାଦାନାଧିକାରୋଦ୍ୟତୋ

ବିଖ୍ୟାତୋ ରଘୁଭୂଭୃତୋଽପ୍ୟବରଜୋ ଷଷ୍ଠୀ ସହସ୍ରାଶ୍ଵଗଃ ।

ଯେନାଷ୍ଟାଦଶ ଘସ୍ରମଶ୍ରମତୟା ସ୍ତବ୍ଧୀକୃତୋ ଯୁଧ୍ୟତା

ସୋଽପ୍ୟାସୀଦ୍ ବଳଭଦ୍ରଭଞ୍ଜ ଧରଣୀପାଳେନ ଯୁଦ୍ଧେ ଜିତଃ ।

(ଭଞ୍ଜ ମହୋଦୟମ୍ – 1946, Canto VIII-P.70)

 

ସମରତରଙ୍ଗ ବର୍ଣ୍ଣିତ ବର୍ଗୀ- ଢେଙ୍କାନାଳ ଯୁଦ୍ଧ ପରେ ଗୋଟାଏ କେନ୍ଦୁଝର-ଢ଼େଙ୍କାନାଳ ଯୁଦ୍ଧ ମଧ୍ୟ ହୋଇଥିଲା ।

ସମର ତରଙ୍ଗର ଏ ବିଷୟକ ବର୍ଣ୍ଣନା ଓ ଭଞ୍ଜ ମହୋଦୟର ଉଦ୍ଧୃତ ବର୍ଣ୍ଣନାରୁ ଦେଖାଯାଏ ଏହି ଢେଙ୍କାନାଳ- କେନ୍ଦୁଝର ଯୁଦ୍ଧରେ ପ୍ରତ୍ୟେକ ପକ୍ଷ ଜୟୀ ହୋଇଥିବାର ଦାବୀ କରନ୍ତି, ମାତ୍ର ସମରତରଙ୍ଗ ଗ୍ରନ୍ଥର ମୁଖ୍ୟତଃ ବର୍ଗୀ- ଢେଙ୍କନାଳ ଯୁଦ୍ଧ ବର୍ଣ୍ଣନା ପ୍ରସଙ୍ଗରେ କେନ୍ଦୁଝର- ଢେଙ୍କାନାଳ ଯୁଦ୍ଧର ଫଳାଫଳ ବିଚାର କରିବାର ଅବସର ନାହିଁ । ତେଣୁ ସେ ସମ୍ପର୍କରେ ଏ ସ୍ଥାନରେ କିଛି କୁହାଗଲା ନାହିଁ । ଅଠର ହେଲେ-(ଗ୍ରାମ୍ୟ ପ୍ରୟୋଗ) ଅସ୍ଥିର ହେଲେ, ଅସ୍ତବ୍ୟସ୍ତ ହେଲେ ।

--------------

ସେ ହାଥ ଯୋଡ଼ି ବୋଲେ ନୃପମଣି

ଶାସ୍ତ୍ରମାନଙ୍କେ ଅଛି ଏହା ଶୁଣି

ଯେ ଯାହାକୁ ପ୍ରତି ବଳବତ୍ତର

ତା ସଙ୍ଗେ ଅପ୍ରୀତି ନୋହେ ବିଚାର

ଯେବେ ହୋଏ ଦ୍ଵନ୍ଦ

ପ୍ରୀତି କଲେ ପୁଣି ହୋଏ ଆନନ୍ଦ ।୬।

ହଉ ବୋଲି ପୁଣି କାହାକୁ ଚାହିଁ

ସେହି ପୁଣି ହାଥ ଯୋଡ଼ି ଜଣାଇ

ଏକ ଚରିତ ସର୍ବଦା ନରହେ

ଆଲୁଅ ପୁଣି ଅନ୍ଧକାର ହୋଏ

କେତେବେଳେ ଯଶ

କେତେବେଳେ ତା ହୋଏ ଅପଯଶ ।୭।

ଅଠରଦିନେ ନାହିଁ ଅପଜୟେ

ସଂସାରେ ଦୁଆ କଲେନି ସଭିଏଁ

ଆଉ କି ତାହା କହିବୁ ଗୋସାଇଁ

ଯେମନ୍ତ ଦିବ୍ୟ ଚିତ୍ତକୁ ଆସଇ

ଶୁଣି ବଚନକୁ

ଗଭା ହଲାଇ ଚାହାନ୍ତି ଆନକୁ ।୮।

ସେ ବୋଲେ ଯଉଁ ଯଶ ରହିଗଲା

ତହିଁକି କାରଣ ପ୍ରଭୁଙ୍କ ତାଲା

ମାରିଲାଇଁ ଏବେ ମାରିବା ପୁଣ

ଏଥକୁ ତିଳେ ଭୟ ନାହିଁ ଜାଣ

ଭଲା ଭଲା ଏବେ

କରନ୍ତୁ ସେ ଆଉ ଯାହା କରିବେ ।୯।

୮। ଦୁଆ କଲେନି- ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଆଶୀର୍ବାଦ କଲେଣି । ଗଭା- (ସଂ-ଗର୍ଭକ) a chaplet of flowers worn on the hair, ଫୁଲ ଗଭା । ତେଣୁ ସାଧାରଣତଃ କେଶ ବନ୍ଧନକୁ ଗଭା କୁହାଯାଏ । ଚୁଟି।

୯।ତାଲା- (ଆରବିକ-ତାଲେ) fortune, ଭାଗ୍ୟ ।

ଯିନିସ ଦାନା ଆମ୍ଭର ନ ଥାନ୍ତା

ବାରଦ ଗୁଳି ଅବା ସରିଯାନ୍ତା

ତେବେ ବା ମନ ହୁଅନ୍ତା ଓହର

ଗୋସାଇଁ ନ ଜାଣ କଉଁ ବିଚାର

ଶୁଣି ଏହି ବାଣୀ

ବୋଇଲେ ଆଉ କେହି କହ ପୁଣି ।୧୦।

ଶୁଣି କେ ବୋଲେ କୁରନିସ କରି

ପୃଥ୍ୱୀ ଥିଲେ ହୋଏ ଯାହା ବିଚାରି

ସେ ଭାଜିଗଲେ କିଛି କରି ନୋହେ

ପରଜା ଥିଲେ ରାଜା ଟେକ ରହେ

ସେ ହେଲେନି ଦହି

ଲକ୍ଷ ଲକ୍ଷ ଘୋଡ଼ା ଅଛନ୍ତି ଯହିଁ ।୧୧।

ଆଛା ବୋଲି କାହା ମୁଖ ତକାନ୍ତେ

ସେ ବୋଲେ ଏ ବିଚାର ଦିଶେ ମୋତେ

ଗଡ଼ ଛାଡ଼ି ଦିନେ ହେବା ଅନ୍ତର

ଏତେକେ ଉଠିଯିବେ ଲସକର

ମୁଲକ ରହିବ

ଯେମନ୍ତ ଦିବ୍ୟ ଚିତ୍ତକୁ ଆସିବ ।୧୨।

ଶୁଣି କହନ୍ତି ରୋଷେ ନରସାଇଁ

ଏତେ କଥା କିମ୍ପା କହ ଘୋଡ଼ାଇ

ସମସ୍ତେ କହୁଛ ପଳାଇଯିବା

କେହି ତ କହିଲନାହିଁ ରହିବା

ମୁଁ ନ ଯିବି ଛାଡ଼ି

ଭଲା କେମନ୍ତେ ମୋତେ ଦେବେ ତଡ଼ି ।୧୩।

 

୧୦। ଓହର- (ଅବରୋହ ଶବ୍ଦଜ) ଓହଳି ଯିଉା, ନଇଁ ପଡ଼ିବା ।

୧୧। କୁରନିସ- (ଆରବିକ କୋରନିସ) ମଜୁରା, ସସମ୍ମାନ ନମସ୍କାର ।

 

ହଥିଆର ବାନ୍ଧିଥିବା ଲୋକର

ମରିବାକୁ ଯେବେ ହୋଇବ ଡର

ହଥିଆର ଛାଡ଼ି କ୍ଷେତ କମାଉ

ତେବେ କାହାକୁ କହିବା କି ଆଉ

ନିର୍ଲଜ୍ଜ ଜୀଇବା

କ୍ଷତ୍ରିଙ୍କ ଶୋଭା ରଣେ ପ୍ରାଣ ଦେବା ।୧୪।

ଭୀମ ଅର୍ଜୁନ ଦ୍ରୋଣ କର୍ଣ୍ଣବୀର

କାହିଁ ଅଛନ୍ତିଟି ଘେନି ଶରୀର

ଯଶ ମାତ୍ରକ ଯାଇଅଛି ରହି

ନା-ମରଦକୁ କେ ତୁଣ୍ଡେ ବସାଇ

ଏହା ନ ଘେନିଲ

ଗଡ଼ ଛାଡ଼ ଛାଡ଼ ସମସ୍ତେ ବୋଲ ।୧୫।

କାହାର ପୃଥ୍ୱୀ କେ ସଙ୍ଗରେ ନେବ

ଯଶ ଅପଯଶ ଦୁଇ ରହିବ

କେତେ ରାଜା ଗଲେ ପୃଥ୍ୱୀ ନଯାଇ

ଦୁଇ କଥାର ଯେ ନାମ ରହଇ

ଦାତା ଶୂରପଣ

ଏ ବିନେ ଆଉ ନାମ ନୋହେ ଜାଣ ।୧୬।

ଦେଖ ହୋଉଅଛି କେଡ଼େ ମଉଜ

ଲଢ଼ି ରଖିଛାଇଁ ଏଡ଼େ ଫଉଜ

କମର ବାନ୍ଧିଛାଇଁ ଦିନରାତି

ଏଥୁଁ କି ବଡ଼ ବାସବ ସମ୍ପତ୍ତି

ଛାତି ଉଠେ ଫୁଲି

କେମନ୍ତେ ବୋଲ ଗଡ଼ ଛାଡ଼ ବୋଲି ।୧୭।

ଫଉଜ ଭିତରେ ଘୋଡ଼ା ପକାଇ

ମାରେ ବରଛି ଯେ ନିର୍ଭୟ ହୋଇ

ସତୀ ପରାଏ ପଶି ଝାସିଯିବ

ଫେରି ଅଇଲେ ତ ସକଳ ଲାଭ

ନୋହିଲେ ସେ ମଲେ

ବାସବ ସଙ୍ଗତେ ବସଇ ଭଲେ ।୧୮।

ହାଥ ଉଠାଇ ସେ ମରିବ ବୀର

ତାହାକୁ ମାତ୍ର ସେହି ପଟାନ୍ତର

ରଣେ ଯା ଅଙ୍ଗ ହୋଏ ଚେନା ଚେନା

ତାହାରି ଜୀବନ ସୁଫଳ ସିନା

ଯେ ନିସତ ହୋଏ

ପୁରୁଷ ହୋଇଲେ ଅବଳା ପ୍ରାୟେ ।୧୯।

ବୋଳି ଅଙ୍ଗରେ କର୍ପୂର ଚନ୍ଦନ

ମଣ୍ଡି ହୋଇଥିବ ହେମ ରତନ

ଘରେ ଥିବ ଶଚୀପତି ସମ୍ପତ୍ତି

ରକତ ଦେଖି ଦୁଲୁକିବ ଛାତି

ସେ ମନୁଷ୍ୟ ହୀନ

ଭୋଗ ନୋହେ ସେ ତା ରୋଗ ସମାନ ।୨୦।

କାହିଁକି କିଲ୍ଲା ବଳେ ଏଥି ଥିବା

ଚାଲ ଢାଲ-ଖଣ୍ଡା ହୋଇ ମିଶିବା

ହରି ବୋଲି ଝାସୁଁ ଯେ ହେବ ହୋଉ

ଏତେ ବିଚାରରୁ କି ଫଳ ଆଉ

ଏହିକଥା ମୂଳ

କେ ସହିବ ବରଗୀଙ୍କ ଜଞ୍ଜାଳ ।୨୧।

ଲେଡ଼ିରୁଁ ଗୁଡ଼ କହୁଣିକୁ ଗଲେ

ଯେମନ୍ତେ ବିଘଟଣ ହୋଏ ଭଲେ

କର ସାରେଣୀ ଗୁଣ ଗଲେ ଛାଡ଼ି

ହାଥକୁ ଆସଇ କି ଯେବେ ଲୋଡ଼ି ?

ବରଗୀ କପଟ

ଜାଣିନାହିଁ ତାଙ୍କ ହୁନ୍ଦର ନଟ ।୨୨।

 

୨୨। ବିଘଟଣ- ଅଘଟଣ, ବ୍ୟାଘାତ, ଅସୁବିଧା । ସାରେଣୀ - ବେଲ ବା କାଠଗୋଳାରେ କୀଳା ମାରି ସେଥିରେ ଦଉଡ଼ି ଗୁରାଇଥାନ୍ତି । ତାକୁ ସାରେଣୀ କୁହାଯାଏ । ଏହା ପ୍ରାୟ ଲଟୁପରି । ଦଉଡ଼ିକୁ ଲମ୍ବାଇ ଓ ପୁଣି ଟାଣିଆଣି ପିଲାଏ ଖେଳନ୍ତି ।କେତେବେଳେ ସେ ଦଉଡ଼ି ହାତରୁ ଖସିଗଲେ ସାରେଣୀ ଖସିଯାଏ ।

 

ତାଙ୍କ ଭାଷାରେ ଗଡ଼ ଛାଡ଼ିଯିବା

ଚୋରଙ୍କ ପରି ଅରଣ୍ୟେ ବୁଲିବା

ତହିଁ ଉତ୍ତାରୁ ଗଡ଼ କରି ଫତେ

ବୋଲିବେ ଟଙ୍କା ବୁଝିଦିଅ ମୋତେ

କେତେବେଳେ ଯାଇଁ

କି ବୁଦ୍ଧି ଏହା ନ କହ କିପାଇଁ ।୨୩।

ପତ୍ର ଅନ୍ନ ତ ବାଲି ହୋଇଥିବ

ହାଥଗୁଣ୍ଡାରେ ସେ ପୁଣି ମିଶିବ

କେତେବେଳେ ମନେ ପଡ଼ିବ ସିନା

ଯେ ହେବ ଏତେବେଳେ ହୋଉ କିନା

ନ ଛାଡ଼ିବି କିଲ୍ଲା

କଥା ତ ରହିଯିବ ଭଲା ଭଲା ।୨୪।

ଏମନ୍ତେ କହି କୋପେ ଗରୁତର

ମୁରୁଚା କରି ଦେଲେ ଖବର୍ଦାର

କାହାରି କହିବା ଯୋଗ୍ୟତା ନୋହେ

ଭଏ ମଉନେ ରହିଲେ ସଭିଏଁ

କେ କହିଲେ ହୋଉ

ସବୁଦିନେ ତ ନ ଜୀଇବା ଆଉ । ୨୫।

ନବର ଦିଗେ ଏ ଖବର ହେଲା

ରାଏସାହେବଙ୍କୁ କେ ଜଣାଇଲା

ନରେନ୍ଦ୍ର ସାହେବ ଶୁଣି ଚକିତ

ଭାଙ୍ଗି କହିବାକୁ କାହା ଶକତ

ସକଳେ ବିଷାଦ

ବିଚାରନ୍ତି ହେଲା କି ପରମାଦ ।୨୬।

୨୫। ଗରୁତର- ଗୁରୁତର । ଅନଗୃହ, ଅନରୂପ ,ଗରୁ ଆଦି, ଅନୁଗ୍ରହ ,ଅନୁରୂପ, ଗୁରୁଆଦି ସ୍ଥଳରେ ପ୍ରାଚୀନ ଓଡ଼ିଆ ପ୍ରୟୋଗ । ଖବର୍ଦାର-ସାବଧାନ ହୁସିଆର

୨୬। ରାଏସାହେବ } ଢେଙ୍କାନାଳର ତତ୍‌କାଳୀନ ଯୁବରାଜଙ୍କୁ ରାୟସାହେବ ଓନରେନ୍ଦ୍ର ସାହେବ } ଦ୍ଵିତୀୟ ରାଜପୁତ୍ରଙ୍କୁ ନରେନ୍ଦ୍ରସାହେବ କୁହାଯାଉଥିଲା ।ନରେନ୍ଦ୍ର ସାହେବ ବ୍ରଜନାଥଙ୍କର ପୃଷ୍ଠପୋଷକ ଥିଲେ ।

୨୬। ବିଷାଦ –‘ ବିଷନ୍ନ ‘ସ୍ଥଳରେ ‘ବିଷାଦ’,’ ବିବେକୀ ‘ସ୍ଥଳରେ ‘ ବିବେକ’ ଆଦିପ୍ରଚୀନ ଓଡ଼ିଆ ପ୍ରୟୋଗ ।

---

ମତ୍ତ ମାତ୍ତଙ୍ଗ ହେଲେ ଅବାରଣ

କାହା ବଳେ ସେ ଧରି ହୋଏ ପୁଣ

ଆହାରେ ଆଶ୍ଵାସି ଟୋପ କନ୍ଧିରେ

ଯେମନ୍ତେ ଧରନ୍ତି ନାନା ବିଧିରେ

ସେହିରୂପେ ନାନା

ମନ୍ତ୍ରଣା ଉପାଏ କଲେ ଘଟଣା ।୨୭।

କଥା ଭଙ୍ଗିରେ ଦେଖାଇ ଜଣାନ୍ତି

ନବରୁଁ ହେଲା ପରାଏ ସନ୍ମତି

ଦି’ଦିନ ଯିବା ଗଡୁଁ ଦୂର ହୋଇ

ବିଚାର ଏଠାରେ ଏହି ଗୋସାଇଁ

ସେ ନ ଯିବେ ଯେବେ

ମୁଲକ ମାଟି ତ ଖୋଳି ନ ନେବେ ।୨୮।

ଠାବେ ଠାବେ ମିଶି କରିବା ହାଲ

ଦାନା ନ ପାଇ ହେବେ କଲବଲ

ଘାଟ ବାଟ ଖଣ୍ଡି ବିନ୍ଧିବା ଯହୁଁ

ରସ୍ତ କେମନ୍ତେ ଚଳିବଟି ଆଉ

ଦିବ୍ୟଚିତ୍ତେ ଘେନ

ଛାଡ଼ିବା ମାତ୍ର ଗଡ଼ ଦି’ ଦିନ ।୨୯।

ସାତ କଥାରେ ଭୁଲେ ପରା ସତୀ

ତେତେବେଳେ ରାଜା କଲେ ସନ୍ମତି

କାହାକୁ କେତେ ଲଙ୍ଘିବେଟି ପୁଣ

ଛାଡ଼ିଲେ ଗଡ଼ ଏହିରୂପେ ଜାଣ

କୃଷ୍ଣ ପାଦପଦ୍ମ

ଚିନ୍ତି ବ୍ରଜନାଥ ନାଶେ ବିଷାଦ ।୩୦।

୨୭। ଅବାରଣ-- ବନ୍ଧନଚ୍ୟୁତ , out of control ଆହାରେ ଆଶ୍ଵାସି- ଆହାର ଦ୍ଵାରା ପ୍ରଲୁବ୍ଧ କରି । ଟୋପ- (ଅମ୍ବିକା ବିଳାସ ୨୫ଶ ଛାନ୍ଦ ୨ୟ ପଦ ଦେଖ) ।

୨୯ । ହାଲ -ଗୋଳମାଲ । ଖଣ୍ଡି – ନଦୀର ଉଚ୍ଚ ତଟ । ରସ୍ତ କେମନ୍ତ ଚଳିବଟି ଆଉ- ତାଙ୍କର ଆଉ ଚଳିବାର କି ରାସ୍ତା ରହିବ।

 

ଷଷ୍ଠ ଛାନ୍ଦ

ରାଗ –ଘଣ୍ଟାରବ

 

ଏବେ ଶୁଣ ଧୀର ମତି ଗଡ଼ ଛାଡନ୍ତେ ନୃପତି

ଫତେ ବିଚାରି ଫଉଜ ଉଠିଗଲେ ଏ ଅନ୍ତେ ଶୁଣ ଯେ ରୀତି ।୧।

ଯଉଁ ଯଉଁ ଖଣ୍ଡାଇତେ ମିଳି ବରଗୀ ସଂଗତେ ଶତ୍ରୁ

ହୋଇ ଢେଙ୍କାନାଳେ ଲଢୁଥଲେ ବିଚାରନ୍ତି ସେହୁ ଚିତ୍ତେ ।୨।

ଧନ୍ୟ ଢେଙ୍କାନାଳ ପତି ଧନ୍ୟ ତାଙ୍କ ଧୈର୍ଯ୍ୟ ମତି

ରାଜା ମହୀନ୍ଦ୍ର ବାହାଦୂର ପଦ ଯା ଜାଣି ଦେଲେ ଗଜପତି ।୩।

ଧନ୍ୟ ଧନ୍ୟ ତାଙ୍କ ସୈନ୍ୟ  ବିଚାର ତାଙ୍କର ଧନ୍ୟ

ସାଗର ଭିତରେ ପଶି ପାରିହେଲେ ଧନ୍ୟ ଧନ୍ୟ ତାଙ୍କ ପୁଣ୍ୟ ।୪।

ଆମ୍ଭମାନଙ୍କ ବିଚାର       ହେଲା ବଡ଼ ଅସୁନ୍ଦର

ପ୍ରୀତିରେ ଅପ୍ରୀତି କେବଳ କଲାଇଁ କାର୍ଯ୍ୟନାହିଁ କଡ଼ାକର ।୫।

ତାଙ୍କ ସଙ୍ଗତେ ଅଭାବ କରିବାରୁ ନାହିଁ ଲାଭ

ଘେନି ଏହିମତି କେହି କେହି ପ୍ରୀତି କରିବାରେ କଲେ ଲୋଭ ।୬।

କେ ଦ୍ଵାର–ଶିଠ ପେଶିଲେ  କେହି ଆପଣେ ଆସିଲେ

କେ ନାନା କୌତୁକ ଚିଜ ଦେଇ ଲୋକ ପେଶି ମାନସ ତୋଷିଲେ ।୭।

କେ ଦେଇ ଯୁଝା ଚଢାଇ ବିମନ ଦେଲେ ଛଡ଼ାଇ

ଏହିରୂପେ ନାନା ପ୍ରକାରେ ଭାବନା କଲେ ନ ରଖି ବଡ଼ାଇ ।୮।

ସମସ୍ତେ କଲେ ପୀରତି କେନ୍ଦୁଝରୀ ନରପତି

କେବଳ ଅପ୍ରୀତି କରି ଦ୍ଵନ୍ଦ୍ଵ ରୀତି ଆରମ୍ଭିଲେ କୋପେ ଅତି ।୯।

ଈକ୍ଷଣ ଥାଉ ନ ଦିଶେ       କହନ୍ତି ଯା ସେହିଆ ସେ

ଚେମଣା ବାବୁଙ୍କ ଦୁଃଖ ଦେଖୁଁ ଦେଖୁଁ ବଇରୀ ଯାହା ହେଲେ ସେ ।୧୦।

ସଇନି କଲେ ତିଆର ସଙ୍ଗେ ଦେଇ ସରଦାର

ସୀମା ପାଖ ଲାଗି ଛପି ରାତି ଜଗି ଗ୍ରାମମାନ କଲେ ଜୂର ।୧୧।

ଶୁଣି ଏହି ମହାରାୟେ ବୋଇଲେ ନୁହ ଅଥୟେ

ତାଙ୍କର ଆମ୍ଭର ପ୍ରୀତିକି ମାତର ସାକ୍ଷୀ ଅଛଇ ଗୋଟାଏ ।୧୨।

 

୭। ଦ୍ଵାର ଶିଠ –(ଶ୍ରେଷ୍ଠ ଶବ୍ଦଜ ) - ରାଜାଙ୍କର ବିଶିଷ୍ଟ କର୍ମଚାରୀ; ଓକିଲ; ଦୂତ ।

 

ଆଗହୁଁ ଉତଲା ନୁହ ଦୁଇ ଚାରି ପଟ ସହ

ଘାନ୍ତିକେ ତ ତାଙ୍କୁ ମୁଲକୁଁ ତଡିବା ଛାଡ଼ି ସିବା ସବୁ କୋହ ।୧୩।

ଯିବାପାଇଁ କେନ୍ଦୁଝରୀ କାଣ୍ଡ ଗଳି ନିକି କରି

ଫୋପଡ଼ ହଜାର ପାଞ୍ଚଶତେ ଆର ଭାଜିଯିବ କେନ୍ଦୁଝରୀ । ୧୪।

ପୂର୍ବରୁ ସେ ଏହା କହି ଲୋକଥିଲେ ପଠିଆଇ

ଦୁଇ ଘୋଡ଼ା ଯେବେ ଦେବ ହେବ ତେବେ ତୁମ୍ଭ ଆମ୍ଭ ସହ୍ଲା ଯାଇଁ ।୧୫।

ଏହା ଓକିଲ କହିଲା ତହିଁ କି ଏଣୁ ପଡ଼ିଲା

କାହିଁକି ଏହା ନ କହିବେ ସେହୁ ତ ଦଇବେ ଅଟନ୍ତି ପିଲା ।୧୬।

ଓକିଲ ଏହା ଶୁଣିଲା ତାଙ୍କ ରାଜାଙ୍କୁ କହିଲା

ଫୋପଡ଼ କଥାହିଁ କି କି ରୂପେ ଯାଇଁ ପୁଣିହିଁ ଗୋଚର ହେଲା ।୧୭।

ଦଇବେ ନୃପତି ସେତ ଶୁଣି ସେ କଟୁ ଭାଷିତ

ବୋଇଲେ ମୋ ରାଜ୍ୟ ବୁଡୁ ପଛେ ସାଜ ସକଳ ସୈନ୍ୟ ତୁରିତ ।୧୮।

ବନ୍ଧା ଟଙ୍କା ଦଶ ଭାର ମାଇନା କରି ଚାକର

ତେଲେଙ୍ଗା ଗାରଦୀ ରଖିଲେ ସମ୍ପାଦି ବାଛି ଦିବ୍ୟ ଅଶୁଆର ।୧୯।

କାଣ୍ଡ ଗଳା ଦାରୁ ଗୁଳି            ଚାଉଳ ବିର୍‌ହୀ କଦଳୀ

ତମାଖୁ ଲୁଣ ଆଦି ଆଗ ସେ ବିର୍‌ହୀ ପାଳଠାକୁ ଦେଲେ ଚାଳି ।୨୦।

ଲୋକ ଶଅ ପାଞ୍ଚ ସାତ ଅଇଲେ ତହିଁ ସଙ୍ଗତ

ଗୋଡ଼ା ମୁରୁଚା ଦେବାପାଇଁ ବେଠିଆ ଆସି ଅଛନ୍ତି ବହୁତ ।୨୧।

ଅଶୁଆର ଦଶବାର ମିଳିଲେ ଆସି ସେଠାର

ଲୁଟିବେ ଲଢ଼ିବେ ମୁଲକ ପୋଡ଼ିବେ କରିଛନ୍ତି ଏ ବିଚାର ।୨୨।

ଏହା ରାଜନ ଶୁଣିଲେ  ବେବର୍ତ୍ତାଙ୍କୁ ବିଦାକଲେ

କିଛି ସୁଆର ଜମାଦାର ଫଉଜ ଯିବା ଆଗ୍ୟାଁ ଦେଲେ ।୨୩।

ପାଞ୍ଚୁ ପାଞ୍ଚୁ ତାଙ୍କ କୂଟ  ଆଗହୁଁ ହେଲେ ଏ ଭେଟ

ଭେଟଣା ହେଲା ପରି କେତେ ମଲେ ସେ କେତେ ଧନ ହେଲା ଲୁଟ ।୨୪।

ଜଣ ଜଣକେ ବିଚାରି  ମାରି କେ ଆଣିଲେ ଧରି

ଏ ଦିନ ତମ୍ପେଇ ଘୋଡ଼ାକୁ ସିପାହୀ ବେବର୍ତ୍ତା ଆଣିଲେ ମାରି ।୨୫।

 

୧୩। ଘାନ୍ତିକେ -ଥରଟାକରେ । ଅତି ସାମାନ୍ୟ ଆୟାସରେ (ପ୍ରାଚୀନ ପ୍ରୟୋଗ )

୧୪। ଆର –(ଦେଶଜ ) ଆଣ୍ଟ; ମନର ଦମ୍ଭ,Conceit.

୧୯। ଗାରଦୀ –ପଦାତିକ ସୈନ୍ୟ , (୧-୨୯ ଦେଖ); ଆଶୁଆର – ଅଶ୍ଵବାର, ଅଶ୍ଵାରୋହୀ।

୨୫। ତମ୍ପେଇ ଘୋଡ଼ା –କେନ୍ଦୁଝରର ଗୋଟିଏ ବିଖ୍ୟାତ ଘୋଡ଼ା।

 

କେତେ ଖଣ୍ଡ ଖଣ୍ଡ ହେଲା ବାଜି କାଣ୍ଡ ଗୁଳି ଗୋଳିଲା କା ପିଣ୍ଡ ।୨୭।

ଲୁଟି ହୋଇଲା ଅନେକ ତାଙ୍କ ସରଞ୍ଜାମ ଯାକ

କିବା ଦିଓଟି ଗୋଟିଏ ଯାଇଥିବେ ବାର୍ତ୍ତା କହିବାକୁ ଲୋକ ।୨୭।

ଏତେକେହେଁ ନ ଚେତିଲେ ଆପଣେ ରାଜା ଅଇଲେ

ପଳାଶୁଣୀଗଡ଼ ଲଢ଼ାଇରେ କେତେ ତେଲଙ୍ଗା ଗିରାଇ ଦେଲେ ।୨୮।

ପାଇକେ ଆସନ୍ତେ ଛାଡ଼ି ଗଡ଼ ମାତ୍ର ଦେଲେ ପୋଡ଼ି

ଯହିଁ ଯେତେଜନ ଆସିଛନ୍ତି ସେ ଯେ ଭାଗିଯାନ୍ତି ଉଠିପଡ଼ି ।୨୯।

ପୁଣି ଗଲା କେତେଦିନ        ସାଜି ତାଙ୍କ ସର୍ବ ସୈନ୍ୟ

ତମ୍ପୋଇଠାରେ କଲେ ଯଉଁ ଲଢ଼ାଇ ତହିଁ ହେଲେ ତେଜହୀନ ।୩୦।

ଲୋକ ଦି ଚାରି ହଜାର ପଞ୍ଚାଶ ଷାଠି ସୁଆର

ନଗଦ ଚାକର ମାନହିଁ ଅପାର ଆଣିଥିଲେ ସଙ୍ଗତର ।୩୧।

ଚଳାଇ ଆସନ୍ତେ ତେଣୁ ଲୋକ ପହଞ୍ଚିଲେ ଏଣୁ

ହାଥମାନ ଘୋଳି ହେଲା ଏହାଙ୍କର ତାଙ୍କୁ ମିଶି ହାଣୁ ହାଣୁ ।୩୨।

ବେବର୍ତ୍ତା ସେଦିନ ମିଶି ଭିଡ଼େ ଘୋଡା ଦେଲେ ଝାସି

ମାରି ତରୁଆର ଏକ ଅଶୁଆର ଯମପୁର ଦେଲେ ପେଶି ।୩୩।

ମୁଣ୍ଡ ତାର କାଟିଆଣି        ଘୋଡ଼ାଇ ଆଣିଲେ ପୁଣି

ଏହିରୂପେ ଯେ ଯେମନ୍ତ ସେହିରୂପେ ଦୁଇ ଚାରି ଗଲେ ହାଣି ।୩୪।

ପଳଇଲେ ଛାଡ଼ି ଋଣ ନ ଅଣ୍ଟିଲା ଗିରି ବଣ

କେତେ ଲୋକ ଅବା ଛାଡ଼ି ହଥିଆର ପଳାଇଲେ ଘେନି ପ୍ରାଣ ।୩୫।

କେବଳ ତାହାଙ୍କୁ ଏତେ ଲୋକ ବୋଇଲେ ଜଗତେ

କେନ୍ଦୁଝରୀ ରାଜା ଧର୍ମ ଲଙ୍ଘିଲେ ହୋ ଯଶ ମିଳିବ କେମନ୍ତେ ।୩୬।

କେ ବୋଲେ ସେ ଅ-ସୁବୁଦ୍ଧ       କଲେ ଝାଡୁଆଙ୍କ ବୁଦ୍ଧି

ପ୍ରୀତିଠାରେ ଯେ ଅ-ପ୍ରୀତି କଲେ କେହି ସହିବଟି ଏହା ବିଧି ।୩୭।

ପରଜା ହେଲେ ଉଚ୍ଛନ୍ନ        ରାଜ୍ୟ ହେଲା ଖିନ୍ନ ଭିନ୍ନ

ବୋଲେ ବ୍ରଜନାଥ ବଡ଼ଜେନା ଏଥୁକି କାର୍ଯ୍ୟ ଅଛିଟି ଘେନ ।୩୮।

୩୫। ଘୋଡ଼ାଇ -ଘୋଡ଼ାହିଁ, ଘୋଡ଼ାକୁ ମଧ୍ୟ ।

୩୭। କେହି କିପରି- (ପ୍ରାଚୀନ ଓଡ଼ିୟା ପ୍ରୟୋଗ) ।

 

ସପ୍ତମ ଛାନ୍ଦ

(ଚ ପୋଥି)

(ରାଗ-କେଦାରକାମୋଦୀ)

 

ଶୁଣ ଏବେ କହିବା ଯେଉଁ ଚରିତ

ଗୁଣଗଣ ବିଚକ୍ଷଣ ଗ୍ରାହକ ପଣ୍ଡିତ ହେ ।୧।

 

ସମରତରଙ୍ଗ ଏ ଗୀତର ନାମ

ଯେ ମରଦ ଲୋକ ସେ ଏହା ଘେନିମ ହେ ।

ଭୀମନଗରପତି ବୀରମଣ୍ଡନ

ନାମ ନ ବାଜି ଅଛି ପୃଥୀ କି ଘେନ ହେ ।

ସମରେ ଗଣି ଭୀମ ଅର୍ଜ୍ଜୁନ ସଙ୍ଗେ

ଭୀମ ସମାନେ ବଳବନ୍ତ ସେ ଅଙ୍ଗ ହେ ।୨।

 

ମନ୍ଦରଗିରି ପରି ଅତି ନିଶ୍ଚଳ

ଚନ୍ଦ୍ରର କଳା ପ୍ରାୟେ ଶାନ୍ତ ଶୀତଳ ଯେ ।

ଶୋଭାରେ ଜାତ କିବା ନବୀନ କାମ

ପ୍ରଭାରେ ଚଣ୍ଡକର ତେଜ ଜା ସମ ହେ ।୩।

 

ଦାନୀରେ ବଳୀ ରାଜା ଉପମା ଦେଇ

ମାନୀରେ ପର୍ଶୁରାମ ପରାଏ କହି ସେ ।

ସ୍ନେହରେ ଲବଣୀରୁ ଚିତ୍ତ କୋମଳ

କୋହରେ ଜଳୁଥିବା କିବା ଅନଳ ହେ ।୪।

 

ଚାକର କଳ୍ପଲତା ପରାଏ ପୁଣି

ଶାକର ପ୍ରାଏ ସ୍ୱାଦ ତାହାଙ୍କ ବାଣୀ ହେ ।

ଚକରମକରିଆ ଲୋକର କାଳ

ଖାଙ୍କର କରନ୍ତି ଯେ ହୋଏ ପ୍ରବଳ ଯେ ।୫।

 

ସହିବା ଗୁଣରେ ଯେ ମହୀ ସଦୃଶ

ଚାହିଁବା ମାତ୍ରେ କେହୁ ନୋହିବ ବଶ ଯେ?

କହିବା କଥା ଯା ମନ-ମାଦକ

ବହିବା ଜନ-ଦୁଃଖକୁ ସେ ବିବେକ ହେ ।୬।

 

ଇଙ୍ଗିତ କରିଛି ଯା ନୟନପୁର

ସଙ୍ଗୀତ ଗୀତ ରଙ୍ଗେ ଅତି ତତ୍ପର ହେ ।

ଭଙ୍ଗିତ ସେହିଠାରେ ଅଛି କେବଳ

ଜଘିଂତ ଭାଙ୍ଗିଦ୍ୟନ୍ତି ବଇରୀକୁଳ ହେ ।୭।

 

ପକ୍ଷ କଲେ ମୁଲକଯାକ ହିଁ ଦେବେ

ସକ୍ଷ କେହୁ କଡ଼ାଏ ନେବ ଅଭାବେ ଯେ ।

ଅକ୍ଷ କରନ୍ତି କୃପା କରି ଯାଠାରେ

ଲକ୍ଷ ଲକ୍ଷ ସୁଖ ସେ ପାଇ ବିହରେ ହେ ।୮।

 

କୋପରେ ପରିପୂର୍ଣ୍ଣ ହୋଇ ସେ ନେତ୍ର

ଯା ପରେ ପଡ଼େ ବୁଡ଼ିଯାଏ ତା ଗୋତ୍ର ହେ ।

ତା ପରେ ଅବଶ୍ୟ ହିଁ ଦୟା କରନ୍ତି

ଭୂପରେ ନାହିଁ ଏ ସମାନ ନୃପତି ହେ ।୯।

 

ଏ ପ୍ରଭୁର ଆଠ ପୁରୁଷ ଲୋକ

ମୁହିଁ ଅଟଇ ଏହା ଜାଣନ୍ତି ଲୋକ ହେ ।

କାହିଁ ଏ ବିନା ଅଉ ଗତି ନ ଥାଏ

ମହୀମଣ୍ଡ‌ଳେ ଘନ ଚାତକ ପ୍ରାଏ ଯେ ।୧୦।

 

ଘେନି ଥିବାରୁ ପ୍ରଭୁ ମାନେ ହରଷେ

ମୁନିବି କରିଥାଉଁ ଅତି ଉଲ୍ଲାସେ ଯେ ।

ବଡ଼ଭାଇ ସରିକି ସେବିଲେ ସୁଖେ

ବଡ଼ ଅଭାଗୀ ମୁହିଁ ପଡ଼ିଲି ଦୁଃଖ ଯେ ।୧୧।

 

କଳ୍ପଦ୍ରୁମ ମୋଠାରେ ହେଲେ ଦାରୁଣ

ଅଳ୍ପ ଦୟା ମାତ୍ରକ ନ କଲେ ପୁଣ ଯେ ।

ଦ୍ରୋଣମେଘ ବରଷା ନ କଲେ ତିଳେ

ଲୁଣ ହୋଇଲା ଗଙ୍ଗାପାଣି କପାଳେ ହେ ।୧୨।

 

ଅନୁସରଣ କରି ଦିବାନିଶିରେ

ଗୀତମାନ ଦେଲି ମୁଁ କେତେ ଅଂଶରେ ଯେ ।

ଛାମୁଙ୍କୁ ଯୋଗ୍ୟ ବୋଲି ଦେଲି ସିକାର

ସଭା ସମ୍ପତ୍ତି ବୋଲି ଦେଲି ହଜୁର ହେ ।୧୩।

 

ବିମାନ ଭେଟିଥିଲି କେତେ ଶ୍ରମରେ

ପଟ ମାନହିଁ ଦେଲି କେତେ କମରେ ହେ ।

ଗଜଦନ୍ତ କାଗଜ କାଚକଡ଼ାରେ

ତାଳପତ୍ର ଆରମ୍ଭ କରି ଚିତ୍ରରେ ହେ ।୧୪।

 

ତେବେ ପଡ଼ିଲା ନାହିଁ କୃପା ନୟନ

ବେଳକୁ ବେଳ ହେଲା ଦୁଃଖବହନ ହେ ।

ପର ରାଜ୍ୟରୁ ଯାଇଁ ଅର୍ଜି ଆଣଇ

ଟଙ୍କା ଆଣିଲି କଲିକତାରୁ ଯାଇଁ ହେ ।୧୫।

 

ଦୁଃଖସୁଖରେ ଚଳୁନାହିଁ କି କାର୍ଯ୍ୟ

କେବଳ ମୋର ହୋଏ ଏ ବଡ଼ ଲାଜ ହେ ।

କେବଳ ମୋ ଇଚ୍ଛାରେ ମୁଁ କରିନାହିଁ

ଖଙ୍କରା ଥିଲି ପର ରାଜ୍ୟରୁ ଖାଇ ହେ ।୧୬।

 

ଚେମଣା ବାବୁ ଗୋଳେ ଦୁଃଖ ପାଇଲି

ତିନି ଉପାସେ ଦରପଣୀକି ଗଲି ହେ ।

ମହାରାଜାଙ୍କ ମିତ୍ରବର୍ଗ ସେ ପୁଣି

ଏଣୁ ତହିଁ ରହିଛି ଆଦ୍ୟରୁ ଜାଣି ଯେ ।୧୭।

 

ତେବେ ମୋତେ ତଲାସ ହୋଇଲା ନାହିଁ

ଏଥି କି ବଳ ମୋର କହ ଗୋସାଇଁ ଯେ ।

ଶ୍ରୀରାମ ସେତୁବନ୍ଧ ବାନ୍ଧିଲେ ଦିନେ

ଗୁଣ୍ଡିଚା ମୂଷା ଭକ୍ତି ହେଲା ଯେସନେ ଯେ ।୧୮।

 

ଛାମୁ ଯଶ କବିତ୍ୱ ଦୋହା ବନାଇ

ଖ୍ୟାତ କରି ଭଗତି ଦରିଛି ମୁହିଁ ଯେ ।୧୯।

କବିମାନେ ମିଛରେ ଗୀତ ବୋଲନ୍ତି

କାର୍ଯ୍ୟ ଲଭିବା ପାଇଁ ତୁସ୍ତି କରନ୍ତି ଯେ ।

ଶ୍ରୀଛାମୁ କଥା ମୋର ନୋହେ ତେମନ୍ତ

ପ୍ରଭୁ ତ ଅନ୍ତର୍ଯ୍ୟାମୀ ଜାଣିବ ଚିତ୍ତ ହେ ।୨୦।

 

ଘନନାଦ ଶୁଣିଲେ ଯେହ୍ନେ ମୟୂର

ଆନନ୍ଦେ ନୃତ୍ୟ କରେ ହୋଏ ଅଧୀର ଯେ ।

ସେରୂପେ ଛାମୁକାର୍ଯେ ଲୋଭୀ ମୋ ମନ

ନିଶ୍ଚେ କହୁଛି ନୋହେ ମିଥ୍ୟା ବଚନ ଯେ ।୨୧।

 

ବହୁତ ପୃଥ୍ୱୀ ଦେଖିଅଛି ଗୋସାଇଁ

କେତେ ରାଜାମାନଙ୍କୁ ଭେଟିଛି ଯାଇଁ ହେ ।

ଅନେକ ମୋତେ ଦିଅନ୍ତି ଦାନ

ତଥାପି ସେ କି ମୋର ପ୍ରଭୁ ସମାନ ହେ ।୨୨।

 

କଉ ରାଜା ସୁନ୍ଦର ନ ଥାଇ ଗୁଣ

କେ ଗୁଣ ଥିଲେ ନୋହିଥାନ୍ତି ଘଟଣ ଯେ ।

କେ ଗୁଣ ଚିହ୍ନିଲେ ତା ପାତ୍ର ପ୍ରବଳ

ଦୁଇଶ ଦେଲେ ଶଏ କରଇ ମୂଳ ଯେ ।୨୩।

 

ମାରିବା ତାରିବାର ଏ ଗୁଣ ଦୁଇ

ନେତ୍ରେ ଥୋଇ ରଖିଲା ପଦ ପୂରାଇ ସେ ।

ପୀୟୂଷ ବିଷ ଯୋଗେ ହାସକୁ ଦେଲା

ଅଧର ଅରୁଣକୁ ଧାତା ରଞ୍ଚିଲା ଯେ ।୨୪।

 

ପୁଣି ବୋଲଇ ଅଶ୍ୱ ବାଗ ବରଛା

ଜିଣିନେବ ତୁମ୍ଭର ଯାହାକୁ ଇଚ୍ଛା ହେ ।

ପୁଣି ବୋଲେ ଧଇଲେ ପତ୍ର ଲେଖନ

କୋଟି କୋଟି ସମ୍ପଦ ହେବ ଅର୍ଜନ ଯେ ।୨୫।

 

ପୁଣି ବୋଇଲା ଯାହା ଶିରେ ଲାଗିବ

ତାହା ସୁମୁଖ ହେବି ମୁହିଁ ଦଇବ ଯେ ।

ପୁଣି ବୋଲଇ ଆଉ ଦେବି କି ବର

ଯାହା ଚିନ୍ତା କରିବା ସେ କାର୍ଯ୍ୟ କର ହେ ।୨୬।

 

ମଣିମା ଏହି ମନେ ହେଉଛି ମୋର

ଶ୍ରୀକରକୁ କହିଲା ସେ ବେଦବର ହେ ।

ଲକ୍ଷ ଲକ୍ଷ ଲୋକକୁ କାଟିବ ପଡ଼ି

ବରଜନାଥ ବଡ଼ଜେନାକୁ ଛାଡ଼ି ଯେ । ୨୭।

 

ଏମନ୍ତ ଯେବେ କହି ନ ଥାନ୍ତା ପୁଣ

କରୁଣାସିନ୍ଧୁ ହୁଅନ୍ତ କି ଦାରୁଣ ହେ ।

ପ୍ରଭୁ ହୋଇ ଯଦ୍ୟପି ହେବ ନିଷ୍ଠୁର

କହିବାକୁ ଯୋଗ୍ୟତା ଅଛି କାହାର ଯେ ।୨୮।

 

ଏବେ ଶୁଣ ସୁଚିତ୍ତେ ବିବେକୀ ନରେ

ନୃପତି ଚନ୍ଦ୍ର ଦିନେ ହଦଗଡ଼ରେ ଯେ ।

ବିଜଏ କରିଥିଲେ ଖିଲିମନ୍ତରେ

ରାଏ ସାହେବ ଛନ୍ତି ପୁଣି ହଜୁରେ ଯେ ।୨୯।

 

ସୁଯୋଗେ ମୋ ସାହେବ ଜୀଉ ଅଛନ୍ତି

ମୋଠାରେ ହୋଇଛନ୍ତି ପ୍ରସନ୍ନମତି ହେ ।

ଯେତେ ଅଙ୍ଗୀକାରରେ ଦିଅନ୍ତି ନିସା

ଗୁଣ ଘେନି କରନ୍ତି କେତେ ପ୍ରଶଂସା ଯେ ।୩୦।

 

ବେବର୍ତ୍ତା ଭଲ ଭଲ ଲୋକ ସଭାରେ

ବକସୀ ପାଟଯୋଷୀ ମହାପାତରେ ଯେ ।୩୧।

 

ଏହିକାଳେ ହଜୁରେ ଭେଟିଲି ମୁହିଁ

ଏ ସମରତରଙ୍ଗ ଗୀତକୁ ଦେଇ ଯେ ।

ଆଗ୍ୟାଁ ପ୍ରମାଣେ ପୁଣି ପଢ଼ିଲି ଗୀତ

ଜଣାଇଲି ପୁଣି ଦୁଃଖ ସମସ୍ତ ହେ ।୩୨।

 

ଏତେ ମାତ୍ର ଆୟତ୍ତ ଥିଲା ମୋହର

ଭେଟି ଆପଣା ଗୁଣ କଲି ଗୋଚର ହେ ।

ଏଥର ସବୁ ଦିବ୍ୟଚିତ୍ତେ ବିଚାର

ଦୟା କରିବେ କିବା ହେବେ ନିଷ୍ଠୁର ଯେ ।୩୩।

 

ଏଣିକି ଏହି ଗୀତେ ବର୍ଣ୍ଣିବି ତାହା

ଆସିଅଛି ମୁଁ କରି ବଡ଼ ଉଚ୍ଛାହା ଯେ ।

ମନରେ କରିଅଛି ଯେତେ କାମନା

କେ ତାହା ଦେବ ମହାରାଜାଙ୍କ ବିନା ଯେ ।୩୪।

 

ଏ ସମରତରଙ୍ଗ ଗୀତ ପ୍ରସାଦେ

ବିଦା ମୁଁ ହୋଇଯିବି ଅତି ପ୍ରମୋଦେ ଯେ ।

ହେ ମହାରାଜା ଦିବ୍ୟଚିତ୍ତରେ ହୋଉ

ମୋଠାରେ ଦୟା କଲେ କୀରତି ରହୁ ଯେ ।୩୫।

 

ଆସୁଅଛି ମୁହିଁ ଅ-ତି ଖିନ୍ନ ହୋଇ

ବିବୀ ଛାମୁରୁ ଅତି ଆରମ୍ଭ ହୋଇ ଯେ ।

କହିବି ସବୁଠାରେ ବଡ଼ାଇ ରଖି

ଲୋକ ହିଁ ଆଚମ୍ୱିତ ହୋଇବେ ଦେଖି ଯେ ।୩୬।

 

ପ୍ରଭୁ ପରଶ ଲୋହ ହେବି ମୁଁ ସିନା

ଅଦୃଷ୍ଟ ଫେରିବ ମୋ ଅଳ୍ପକେ ସିନା ଯେ ।

ଜଣାଇବା ଆୟତ୍ତ ସିନା ମୋହର

କହଇ ବ୍ରଜନାଥ ପ୍ରଭୁ ବିଚାର ହେ ।୩୭।